ମୁମ୍ବାଇ ୦୨/୧୧: ସାଉଥ୍‌ ସୁପର୍‌ଷ୍ଟାର ରାମ ଚରଣଙ୍କ ଅପ୍‌କମିଙ୍ଗ ଆକ୍ସନ୍‌-ପ୍ୟାକ୍‌ଡ ଫିଲ୍ମ ପେଡ୍ଡିରେ ଅଚିୟମ୍ମା ଚରିତ୍ରରେ ବଡ଼ ପରଦାକୁ ଆସିବେ ଜାହ୍ନବୀ କପୁର । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବୁଚି ବାବୁ ସାନା । ଶନିବାର ନିର୍ମାତା ଫିଲ୍ମରେ ଜାହ୍ନବୀଙ୍କ ଲୁକ୍‌ ଜାରିଛନ୍ତି । ଔପଚାରିକ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ପେଡ୍ଡିଜରିଆରେ ଜାହ୍ନବୀଙ୍କ ଫାର୍ଷ୍ଟ ଲୁକ୍‌ ପୋଷ୍ଟର୍‌ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି, ଉଗ୍ର ଅନ୍ଦାଜ୍‌ରେ ଆମ ପେଡ୍ଡୀର ପ୍ରେମିକା । ଆକର୍ଷଣୀୟ ଜାହ୍ନବୀ କପୁରଙ୍କୁ ଅଚିୟମ୍ମା ଭୂମିକାରେ ଉପସ୍ଥାପନ କରୁଛୁ ।

ନିର୍ମାତା ଜାହ୍ନାବୀଙ୍କର ଦୁଇଟି ପୋଷ୍ଟର୍‌ ଜାରି କରିଛନ୍ତି । ଏଥିସହିତ ତାଙ୍କ ଚରିତ୍ରକୁ ଭୟଙ୍କର ଓ ନିର୍ଭୀକ ବୋଲି ବର୍ଣ୍ଣନା କରିଛନ୍ତି । ପ୍ରଥମ ପୋଷ୍ଟର୍‌ରେ ଜାହ୍ନବୀ ଏକ ଜିପ୍‌ ଉପରେ ଦୁଇହାତ ଉପରକୁ ଟେକି ନମସ୍କାର ମୁଦ୍ରାରେ ଠିଆ ହୋଇଛନ୍ତି । ଅନ୍ୟ ଫଟୋରେ ବାମ ହାତକୁ ମୁଣ୍ଡ ଉପରେ ରଖି ଠିଆ ହୋଇଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ୨୭ରେ ଫିଲ୍ମଟି ବିଶ୍ୱସ୍ତରରେ ମୁକ୍ତିଲାଭ କରିବ । ଫିଲ୍ମ ଇଣ୍ଡଷ୍ଟ୍ରି ଓ ଫ୍ୟାନ୍‌ଙ୍କ ମଧ୍ୟରେ ଏ ନେଇ ଖାସ୍‌ ଉତ୍ସାହ ଦେଖିବାକୁ ମଳିଛି ।

ଶ୍ରୀଲଙ୍କାରେ ଏବେ ଫିଲ୍ମ ସୁଟିଂ ଚାଲିଛି । ଫିଲ୍ମରେ ରାମ ଚରଣଙ୍କ ପାଇଁ ନୃତ୍ୟ କୋରିଓଗ୍ରାଫ୍‌ କରିଥିବା ଜାନି ମାଷ୍ଟର୍‌ଙ୍କୁ ନିକଟରେ ଫିଲ୍ମର ସୁଟିଂ ପାଇଁ ଶ୍ରୀଲଙ୍କାରେ ଦେଖିବାକୁ ମିଳିଥିଲା । ସେ କହିଥିଲେ, ଫିଲ୍ମ ପାଇଁ ରାମ ଚରଣ ଯେଉଁଭଳି ଭାବେ କଠିନ ପରିଶ୍ରମ ଓ ପ୍ରୟାସ କରିଛନ୍ତି, ତାହା ବାସ୍ତବରେ ଅଦ୍ଭୁତ । ବିନାୟକ ଚଭିତି ଅବସରରେ ମୈସୁରରେ ଫିଲ୍ମର ଏକ ଗୀତର ସୁଟିଂ ହୋଇଥିଲା, ଯେଉଁଥିରେ ରାମ ଚରଣଙ୍କ ସହ ୧୦୦୦ ନୃତ୍ୟଶିଳ୍ପୀ ନୃତ୍ୟ କରିଥିଲେ । ପେଡ୍ଡିରେ ରାମ ଚରଣଙ୍କୁ ନୂଆ ରୂପରେ ଦେଖିବାକୁ ମିଳିବ । ଏଥିପାଇଁ ସେ ନିଜ ଲୁକ୍‌ରେ ପରିବର୍ତ୍ତନ କରିଛନ୍ତି । ଶିବ ରାଜକୁମାରଙ୍କୁ ସହ ଅଭିନେତା ଭୂମିକାରେ ଦେଖିବାକୁ ମିଳିବ । ଏମାନଙ୍କ ସହିତ ଜଗପତି ବାବୁ ଓ ଦିବ୍ୟେନ୍ଦୁ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।