ମାଲକାନଗିରି, ୨୧/୧୦(ଆ.ପ୍ର): ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳୀପୂଜା ଓ ଦୀପାବଳୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଶେଷ କରି ମାଲକାନଗିରି ଟାଉନ କାଳୀପୁଜା କମିଟି ପକ୍ଷରୁ ନଗରଭବନ କାଳୀଛକ ଠାରେ ଦୀର୍ଘ ୫୮ ବର୍ଷ ହେଲା ପୁଜା ପାଇ ଆସୁଥିବା ମା କାଳିପୁଜା ମଣ୍ଡପରେ ଚଳିତବର୍ଷ ଭିନ୍ନ ଶୈଳୀରେ ନିଆରା ଢଙ୍ଗରେ ତୋରଣ ନିର୍ମାଣ କରାଯାଇଛି।

ଜିଲ୍ଲା ସଦର ମହକୁମା ଡିଏନକେ ମଇଦାନ ସାର୍ବଜନୀନ ପୂଜାକମିଟି, ମାଲକାନଗିରି ଟାଉନ କାଳୀପୁଜା କମିଟର ନଗରଭବନ ଓ କାଳୀଛକ, ରିକଲାମେଶନ କଲୋନି ରାମକୃଷ୍ଣ ନଗର, ଏମଭି୭ ଜଗନ୍ନାଥ ପଲ୍ଲୀ ସାର୍ବଜନୀନ କାଳୀପୂଜା କମିଟି, ଡ୍ୟାମସାଇଟ, କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା, ପଡିଆ, ଏମଭି ୭୯, ଏମଭି ୧୯, ମାଥିଲି, ଗୋବିନ୍ଦପାଲି ବିଭିନ୍ନ ସ୍ଥାନରେ ଆକର୍ଷଣିୟ ମେଡ଼ ଓ ତୋରଣ ତିଆରି ହୋଇ ମା କାଳୀଙ୍କ ପ୍ରତିମୂର୍ତି ପୂଜା ପାଉଛନ୍ତି।

ସୋମବାର ମଧ୍ୟରାତ୍ରରୁ ରିତିନିତି ଅନୁସାରେ ମା କାଳୀଙ୍କୁ ୧୦ଟି ରୂପରେ ପୂଜା କାରାଯାଇ ମାଙ୍କ ନିକଟରେ ଭୋଗ ଲଗା ଯାଇଥିଲା। କେତକ ପୂଜା ମଣ୍ଡପ ନିକଟରେ ଭଜନ ସମାରୋହ ଆଉ କେତକ ମଣ୍ଡପ ନିକଟରେ ଦେଶିଆ ନାଟ ସାଙ୍ଗକୁ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଶେଷ କରି ଏମଭି୭ ସାର୍ବଜନୀନ ପଲୀମଙ୍ଗଳ କାଳୀପୂଜା କମିଟି ପକ୍ଷରୁ ଆଡମ୍ବର ସହ ପୂଜା ପାଳିତ ହୋଇଯାଇଛି। ସୋମବାର ଦିନ ଶତାଧିକ ମହିଳାମାନେ ପବିତ୍ର ତମସା ନଦୀରୁ ଜଳ ସଂଗ୍ରହ କରି ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ମନ୍ଦିରରେ ଶୁଭ ଜଳକଳସ ସ୍ଥାପନ କରିଥିଲେ। ପୂଜାରୀ ଓ ପଣ୍ଡିତ ରୀତିନୀତି ଅନୁସାରେ ହୋମ ଯଜ୍ଞ ପୂଜା ପାଠକରି କରିଥିଲେ।

ପୂଜାମଣ୍ଡପ ନିକଟରେ ପ୍ରତିଦିନ ସନ୍ଧ୍ୟାରେ ବାଉଲ ଗାନ, ଭଜନ ସନ୍ଧ୍ୟା, ସହିତ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି, ପୂଜା ମଣ୍ଡପ ନିକଟରେ ମିନା ବଜାର, ସର୍କ୍ସ ସାଙ୍ଗକୁ ଭଳିକି ଭଳି ଦୋକାନ ବଜାର ବୁଲି ଭକ୍ତ ଓ ଦର୍ଶକ ମାନେ ମଜା ଉଠାଇଛନ୍ତି। ନିକଟରେ ଶତାଧିକ ଭକ୍ତ ଓ ଦର୍ଶକ ମାନଙ୍କ ଭିଡ ଜମୁଥିଲା, ପୂଜାମଣ୍ଡପ ନିକଟରେ ଦର୍ଶକ ଓ ଭକ୍ତ ମାନଙ୍କୁ ପୂଜାକମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଗତକାଲି ଓ ଆଜି ରାତ୍ରରେ ଦୀପାବଳୀ ଉତ୍ସବ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। କେତକ ସ୍ଥାନରେ ବାଣଫୁଟାଇ ଖଡି ଜାଳୀ ବଡବଡ଼ୁଆମାନଙ୍କୁ ଡାକପକାଇ ବା ସହିତ ଅନ୍ୟକେତକ ସ୍ଥାନରେ ପୟାଶ୍ରାଦ୍ଧପାଳନ କରା ଯାଇଥିଲା ।