କଟକ,୨୪/୧୦: ମା' କାଳୀଙ୍କ ଭସାଣିକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ କଟକ ସହର ଏବେ ପୁଲିସର ଏକପ୍ରକାର ଦୁର୍ଗରେ ପରିଣତ ହୋଇଛି । ସବୁ ଗଳିକନ୍ଦିରେ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି, ପଇଁତରା ମାରୁଛନ୍ତି । ଆଉ ଏହି ଭସାଣିକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ କଟକ ଡିସିପିଙ୍କ ସମେତ ୬ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । କଟକ ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ, ଭୁବନେଶ୍ୱର ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ସିପିଙ୍କ କାର୍ଯ୍ୟାଳୟରେ ଡିସିପି ଥିବା ଅନୁପ୍ କାନୁନ୍ଗୋ, ପ୍ରକାଶ ପାଲ୍, ପୁଲିସ ମୁଖ୍ୟାଳୟରେ ଥିବା ଏସ୍ପି ତରୁଣ ଦାସ ଓ ଅନୁଗୁଳ ପୁଲିସ ଟ୍ରେନିଂ ସ୍କୁଲ୍ରେ ଥିବା ଏସ୍ପି ସେକ୍ ସରିଫଉଦ୍ଦି । ଏମାନଙ୍କ ମଧ୍ୟରୁ କେବଳ ଅନୁପ୍ କାନୁନ୍ଗୋଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ କଟକରେ ଅଫିସର ଭାବେ କାମ କରିଛନ୍ତି ।
ଏହାଛଡ଼ା ପୂର୍ବରୁ ଦରଘା ବଜାର ଥାନାରେ ଇନ୍ସପେକ୍ଟର ଥିବା ପ୍ରଦୀପ ଜେନା ଓ ଚିନ୍ତେଶ୍ୱର ମୁଣ୍ଡାଙ୍କୁ ମଧ୍ୟ ଥାନା ଅଞ୍ଚଳରେ ଡ୍ୟୁଟି ଦିଆଯାଇଛି । ଚିନ୍ତେଶ୍ୱର ଏବେ ଚାଉଳିଆଗଞ୍ଜ ଥାନାରେ ଥିବାବେଳେ ପ୍ରଦୀପ ଜେନାଙ୍କୁ କନ୍ଧମାଳ ଜିଲ୍ଲାରୁ ଅଣାଯାଇଛି । ସେହିପରି ଭୁବନେଶ୍ୱର କମିସନରେଟ୍ ପୁଲିସରୁ ବଛାବଛା ୧୩ ଜଣ ପୁଲିସ ଅଫିସରଙ୍କୁ କଟକ ଅଣାଯାଇଛି । ଏମାନଙ୍କ ଭିତରେ ଜଣେ ଏସିପି ଭାବେ ଜୋନ୍-୩ର ତାପସ ପ୍ରଧାନ ଅଛନ୍ତି । ଅନ୍ୟମାନେ ଇନ୍ସେପେକ୍ଟର ପାହ୍ୟାର ଅଛନ୍ତି । ମୋଟ୍ ୫୦ ପ୍ଲାଟନ୍ ଫୋର୍ସ, ଏକ କମ୍ପାନୀ ର୍ୟାପିଡ୍ ଆକ୍ସନ୍ ଫୋର୍ସ ଓ ଗୋଟିଏ କମ୍ପାନି ସ୍ପେଶାଲ୍ ଟାକ୍ଟିକାଲ୍ ୟୁନିଟ୍କୁ ନିୟୋଜିତ କରାଯାଇଛି । ଏଏସଆଇରୁ ଏସପି ପାହ୍ୟା ଯାଏ ୨୫୦ ଜଣ ଅଫିସର ଡ୍ୟୁଟିରେ ନିୟୋଜିତ ହେବେ ।
ଆଜି ମୋଟ୍ ୫୮ଟି ମେଢ଼ ମୁଖ୍ୟ ରୁଟ୍ରେ ଯାଇ ଦରଘାବଜାର ହୋଇ ଦେବୀଗଡ଼ାରେ ବିସର୍ଜିତ ହେବ । ତନ୍ମଧ୍ୟରୁ ହାତୀପୋଖରୀ ରୁଟ୍ରେ ୭ଟି ମେଢ଼ ଆସି ମୁଖ୍ୟ ରୁଟ୍ରେ ସାମିଲ ହେବ । ଦେବୀଗଡ଼ାରେ ୪ଟି ଅସ୍ଥାୟୀ ପୋଖରୀ କରାଯାଇଛି । ମେଢ଼ ପଛକୁ ମେଢ଼ ଆସୁଥିବା ବେଳେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ଦୁଇଟି ମେଢ଼ ପାଇଁ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ପୁଲିସ ଟିମ୍ ନିୟୋଜିତ ହେବେ । ପୁସିଂ ଟିମ୍ରେ ୧୦ ଜଣ ପୁଲିସ ଅଫିସର ନିୟୋଜିତ ହେବେ । ଏଭଳି ଭାବେ ୪୦ଟି ଟିମ୍ ନିୟୋଜିତ ହେବେ । ଏହା ସହିତ ସହରରେ ୬୦ଟି ପୁଲିସ ଏଡ୍ ପୋଷ୍ଟ ଖୋଲାଯାଇଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୪୦ଟି ପାଟ୍ରୋଲିଂ ଟିମ୍ ପଇଁତରା ମାରିବ । ଏହା ବାଦ୍ ଭସାଣି ରୁଟ୍ ପ୍ରାୟ ସବୁ ଛାତ ଉପରେ ପୁଲିସ କର୍ମଚାରୀ ରହିବେ । ଛାତ ଉପରେ ରହି ଅଞ୍ଚଳ ଉପରେ ଓ ଭସାଣି ରୁଟ୍ ଉପରେ ନଜର ରଖିବେ । ରାସ୍ତା ତମାମ୍ ସିସିଟିଭି ଲଗାଯାଇଛି । ସେହିପରି ସମ୍ବେଦନଶୀଳ ଅଞ୍ଚଳରେ ୪ଟି ଡ୍ରୋନ୍ ଉଡିବାର ବ୍ୟବସ୍ଥା ହୋଇଛି।