ବଡବିଲ, ୨୫।୬ : ମାମୁଁଘରକୁ ବୁଲିବାକୁ ଆସିଥିଲା। କିନ୍ତୁ ଗାଁ ପୋଖରୀରେ ବୁଡ଼ି ଚାଲିଗଲା ଶିଶୁ କନ୍ୟା ଜୀବନ । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଜାମୁଦଲକ ଗାଁରେ। ମୃତକ ବଡ଼ବିଲ ଥାନା ଅନ୍ତର୍ଗତ କାରା ଗାଁର ସାତ୍ତାର୍ ମୁଣ୍ଡାଙ୍କ ୬ ବର୍ଷର ଝିଅ ପରୀ ।

ସୂଚନା ମୁତାବକ, ପରୀ ନିଜ ମାଉସୀଙ୍କ ବାହାଘର ପାଇଁ ଜାମୁଦଲକ ଗାଁ ସ୍ଥିତ ମାମୁଁଘରକୁ ଆସିଥିଲା। ଆଜି ସକାଳେ ସେ ମାମୁଁ ଘର ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ଅସାବଧାନତା ବଶତଃ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲା। ଏହା ଜାଣିବା ପରେ ପରିବାର ଲୋକେ ତୁରନ୍ତ ତାକୁ ପାଣିରୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଘଟଣା ପରେ ପରିବାର ମଧ୍ଯରେ କାନ୍ଦ ବୋବାଳି ସୃଷ୍ଟି ହୋଇଛି। ଖବର ପାଇ ଚମ୍ପୁଆ ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ : ପୁରୁଷ ବନ୍ଧୁ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ