ଭୁବନେଶ୍ଵର : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଦର ଅଭାବ ପ୍ରାୟ ଲୋକଙ୍କ ପାଇଁ ସାଧାରଣ ସମସ୍ୟା । ପ୍ରାୟ ଲୋକ କାମ କିମ୍ବା ମନୋରଞ୍ଜନ ଚକ୍କର୍‌ରେ ନିଦକୁ ଅଣଦେଖା କରି ଦେଇଥାନ୍ତି । କିନ୍ତୁ ଜାଣନ୍ତି କି ଏହାର ସିଧାସଳଖ ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ପର୍ଯ୍ୟାପ୍ତ ନିଦରେ ନ ଶୋଇବା ଦ୍ୱାରା ମସ୍ତିଷ୍କ ଦୁର୍ବଳ ହେବା ସହ ଅବସାଦ ପରି ସମସ୍ୟା ବଢିଥାଏ । ନିଦରେ ଶୋଇବା ସମୟରେ ମସ୍ତିଷ୍କ ହାନିକାରକ ଟକ୍ସିନ୍ସକୁ ବାହାରକୁ ବାହାର କରିଥାଏ । ଯଦି ବ୍ୟକ୍ତି ଆବଶ୍ୟକ ନିଦରେ ଶୋଇ ନପାରନ୍ତି, ତେବେ ସମସ୍ୟା ଉପୁଜିବା ସ୍ୱାଭାବିକ୍‌ । ତେଣୁ ଯଥାସମ୍ଭବ ନିଦରେ ଶୋଇବା ଜରୁରି ।

ବ୍ୟସ୍ତବହୁଳ ଜୀବନ ସାଙ୍ଗକୁ ରାତିରେ ଡେରିରେ ଶୋଇବା ଓ ଅଧିକ ସମୟ ସ୍କ୍ରିନ୍‌ରେ ବିତାଇବା ଦ୍ୱାରା ଦିନଚର୍ଯ୍ୟା ଅସନ୍ତୁଳିତ ହୋଇପଡେ । ଏହି ଅଭ୍ୟାସ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ନିଦର ଅଭାବ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ କେବଳ କାର୍ଯ୍ୟଦକ୍ଷତା କମ୍‌ କରି ନଥାଏ, ବରଂ ଚିନ୍ତା ଓ ଅବସାଦ ପରି ସମସ୍ୟାକୁ ବଢାଇଥାଏ ।

ନିଦ ଓ ମାନସିକ ସ୍ୱାସ୍ଥ୍ୟର ସଂଯୋଗ

ନିଦ ମସ୍ତିଷ୍କ ପାଇଁ ଇନ୍ଧନ ପରି କାମ କରିଥାଏ । ପର୍ଯ୍ୟାପ୍ତ ଓ ଗଭୀର ନିଦ ଚିନ୍ତାକୁ ସମ୍ଭାଳି ନେବା ସହ ଭିତରର ଅନୁଭବକୁ ନିୟନ୍ତ୍ରିତ କରିଥାଏ । କିନ୍ତୁ ଯଦି ବ୍ୟକ୍ତିର ନିଦ ଭଲରେ ହୋଇ ନଥାଏ, ତେବେ ସେ ଚିଡ୍‌ଚିଡା ହେବା ସହ ଥକ୍କାପଣ ଅନୁଭବ କରିଥାଏ । ଦୀର୍ଘଦିନ ଧରି ନିଦର ଅଭାବ ରହିବା ଦ୍ୱାରା ଅବସାଦ ଓ ମାନସିକ ସ୍ୱାସ୍ଥ୍ୟବସ୍ଥାରେ ବ୍ୟତିକ୍ରମର କାରଣ ସାଜିପାରେ ।

ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ନିଦ ସମସ୍ୟା

ଅନିୟମିତ ଖାଦ୍ୟପାନୀୟ, ରାତିରେ ଡେରିଯାଏ ସ୍କ୍ରିନ୍‌ ବ୍ୟବହାର, ବ୍ୟାୟାମ ନ କରିବା ଓ ମାତ୍ରାଧିକ କ୍ୟାଫିନ୍‌ କିମ୍ବା ଆଲ୍‌କହଲ୍‌ ନେବା ଦ୍ୱାରା ଆମ ଶରୀରର କାର୍ଡିଆନ୍‌ ରିଦିମ୍‌ ବିଗିଡି ଯାଇଥାଏ । ଏହାର ପ୍ରଭାବ ନିଦର ଗୁଣବତ୍ତା ଉପରେ ପଡିଥାଏ । ଆବଶ୍ୟକ ନିଦ ନ ହେବା ଦ୍ୱାରା ଶରୀରରେ ଥକ୍କାପଣ ଆସିବା, ମସ୍ତିଷ୍କରେ ଚିନ୍ତା ବଢିବା ସହ ଦୁର୍ବଳ ହୋଇଚାଲେ । ଅନିଦ୍ରା, ସ୍ଲିପ୍‌ ଆପ୍ନିଆ ଓ ରେଷ୍ଟଲେସ୍‌ ଲେଗ ସିଣ୍ଡ୍ରୋମ୍‌ ପରି ସମସ୍ୟା ନିଦକୁ ଦୂରେଇ ଦେଇଥାଏ । ଏହି ରୋଗରେ ପୀଡିତ ଲୋକମାନେ ପ୍ରାୟତଃ ଚିନ୍ତା, ଅବସାଦ ଓ ଧ୍ୟାନକେନ୍ଦ୍ରୀତ ଅଭାବର ଶିକାର ହୋଇଥାନ୍ତି । ଏହାକୁ ଅଣଦେଖା କରିବା ଦ୍ୱାରା ବ୍ୟକ୍ତିର ମାନସିକ ସ୍ଥତି କ୍ରମଶଃ ବିଗିଡି ଚାଲେ ।

ସ୍ୱାସ୍ଥ୍ୟ ସୁଧାର ପାଇଁ ଉପାୟ

ନିୟମିତ ଶୋଇବା ସମୟ ସ୍ଥିର ରଖନ୍ତୁ । ଦିନକୁ ୭ରୁ ୮ ଘଣ୍ଟା ଶାନ୍ତିରେ ଶୁଅନ୍ତୁ । ଶୋଇବାର ଏକ ଘଣ୍ଟା ପୂର୍ବରୁ ସ୍କ୍ରିନ୍‌ଠାରୁ ଦୂରେଇ ରୁହନ୍ତୁ । ନିୟମିତ ବ୍ୟାୟାମ କରନ୍ତୁ । ଚିନ୍ତାକୁ ନିୟନ୍ତ୍ରଣରେ ରଖିବା ପାଇଁ ଯୋଗ, ଧ୍ୟାନ ଓ ଡିପ୍‌ ବ୍ରିଦିଂ ପରି ଆକ୍ଟିଭିଟିଜ୍‌ କରନ୍ତୁ । ଖାଦ୍ୟପାନୀୟକୁ ଗୁରୁତ୍ୱ ଦିଅନ୍ତୁ । ରାତିରେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁନାହିଁ ।