ନୟାଗଡ଼, ୨୦/୯ : ନୟାଗଡ଼ ଜିଲ୍ଲା ଇଚ୍ଛାପୁର ଓ ବରଡ଼ାବାରି ଗ୍ରାମରେ ଖଣ୍ଡପଡ଼ା ଥାନା ପୁଲିସର ଚଢାଉ। ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ। ବେଆଇନ ଭାବେ ବାଣ କାରବାର ଅଭିଯୋଗରେ ୨ ଗିରଫ। ଇଛାପୁର ଗ୍ରାମର ବାବାଜୀ ନାଏକ ଓ ନିକଟସ୍ଥ ବରଡାବାରି ଗ୍ରାମର ଆଲୋକ କୁମାର ନାୟକ ଗିରଫ ହୋଇଛନ୍ତି। 

ସୂଚନାନୁଯାୟୀ, ଇଛାପୁର ଗାଁର ବାବାଜୀ ନାଏକ ଓ ବରଡାବାରି ଗାଁର ଆଲୋକ କୁମାର ନାୟକ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ବାଣ କାରବାରରେ ସଂପୃକ୍ତ ରହିଥିଲେ। ଅପରେସନ ଅଗ୍ନି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ପୁଲିସ ବାବାଜୀଙ୍କ ଘରେ ଚଢାଉ କରି ୧୫୦୦ ନଡିଆ ବମ୍, ୧୪୦ଟି ପ୍ୟାକେଟ୍ କାଗଜ ବମ୍, ୧୮୫୦ଟି ତାଳ ଫୋଟକା, ୧୧୦୦ ଟି କୁମ୍ପି, ୧୫ କେଜି ବାରୁଦ ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ସେହିପରି ବରଡାବାରୀ ଗ୍ରାମର ବାଣ ବେପାରୀ ଆଲୋକଙ୍କ ଘରୁ ବିପୁଳ ପରିମାଣର ବାଣ ଓ ବାଣ ପ୍ରସ୍ତୁତି ନିମନ୍ତେ ରଖାଯାଇଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।