ନୂଆଦିଲ୍ଲୀ, ୨୬/୯ : ନେପାଳରେ ଜେନ-ଜିଙ୍କ ଆନ୍ଦୋଳନ ପରେ ଅସ୍ଥିର ସ୍ଥିତି। ଏହାର ଫାଇଦା ଉଠାଉଛନ୍ତି ଆତଙ୍କୀ ସଙ୍ଗଠନ। ଏବେ ଲସ୍କର-ଏ-ତୋଇବା ଓ ଜୈଶ-ଏ-ମହମ୍ମଦ ନେପାଳରେ ଆକ୍ଟିଭ୍। ପାକିସ୍ତାନ ଦେଇ ନେପାଳରେ ପଶୁଛନ୍ତି ଆତଙ୍କବାଦୀ। ଭାରତ ପାଇଁ ବଢିଲା ଟେନସନ୍। ଏହି ଖବର ମିଳିବା ପରେ ଏବେ ନେପାଳ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ସୀମାରେ ସୁରକ୍ଷା ବାହିନୀଙ୍କୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନେପାଳରେ ଆତଙ୍କୀ ସଙ୍ଗଠନ ଗୁଡ଼ିକର ସ୍ଲିପର୍ ସେଲ୍ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି। କାଠମାଣ୍ଡୁ ସ୍ଥିତ ପାକିସ୍ତାନୀ ଦୂତାବାସରୁ ଏମାନଙ୍କୁ ସହଯୋଗ ମିଳୁଛି। ଖାଲି ସେତିକି ନୁହେଁ ଏହି ଦୁଇ ଆତଙ୍କୀ ସଙ୍ଗଠନକୁ 'ଇସଲାମୀ ସଙ୍ଘ ଅଫ୍ ନେପାଳ' ଏବଂ 'ୱାର୍କ ଫର୍ ନେପାଳ' ଭଳି ସଙ୍ଗଠନରୁ ଫଣ୍ଡିଂ ମିଳୁଛି। ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇ ଦିଆଯାଉଛି। ଆଇବିର ପୂର୍ବତନ ଅଧିକାରୀ ସନ୍ତୋଷ ସିଂଙ୍କ କହିବା ଅନୁଯାୟୀ, ନେପାଳରେ ଗତ ଫେବୃଆରୀ ମାସରୁ ଆତଙ୍କୀ ଷଡ଼ଯନ୍ତ୍ର ପାଇଁ ପୃଷ୍ଠଭୂମି ତିଆରି କରାଯାଉଛି। ଫେବୃଆରୀ ୮-୯ ତାରିଖରୁ ନେପାଳର ସୁନସାରୀରେ ISN ଦ୍ୱାରା ଆୟୋଜିତ ଏକ ସମାବେଶରେ ପାକିସ୍ତାନୀ ଏବଂ ବାଂଲାଦେଶୀ ସନ୍ଦିଗ୍ଧ ବ୍ୟକ୍ତିମାନେ ଏକାଠି ହୋଇଥିଲେ। ଏବେ ଜେନ-ଜି ଆନ୍ଦୋଳନର ସୁଯୋଗ ନେଇ ସୀମା ପାର ହୋଇ ଅନୁପ୍ରବେଶ କରୁଛନ୍ତି। ନେପାଳ କଂଗ୍ରେସର ପୂର୍ବତନ ସାଂସଦ ଅଭିଷେକ ପ୍ରତାପ ଶାହ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଭାରତ-ନେପାଳ ମଧ୍ୟରେ ଥିବା ୧୭୫୧ କିଲୋମିଟରର ସୀମା ବଡ଼ ଚ୍ୟାଲେଞ୍ଜ୍ ପାଲଟିବ ବୋଲି କହିଛନ୍ତି।