ଭୁବନେଶ୍ୱର ୧୫/୦୯: ପବିତ୍ର ପିତୃପକ୍ଷ ଚାଲିଛି । ଏହା ଆଶ୍ୱିନ ଅମାବାସ୍ୟା ମହାଳୟାରେ ସରିବ । ମହାଳୟା ପିତୃପୁରୁଷଙ୍କୁ ଶ୍ରାଦ୍ଧ, ତର୍ପଣ ଅର୍ପଣ  ମହୋତ୍ସବର ଅନ୍ତିମ ଦିନ । ଏହି ଦିନଟିକୁ ପିତୃପକ୍ଷର ସବୁଠୁ ଶ୍ରେଷ୍ଠ ଦିନ ଭାବେ ଏଇଥି ପାଇଁ ବିଚାର କରାଯାଏ ଯେ ଏହି ଦିନ  କେବଳ ପୂର୍ବପୁରୁଷ ନୁହନ୍ତି, ଅନ୍ୟ ଦିବଂଗତ ଆତ୍ମାଙ୍କର ଶାନ୍ତି,ମୋକ୍ଷ ଲାଗି ଯେକେହି ପିଣ୍ଡଦାନ କରିପାରିବେ । ଏହି ଦିନ ତିଥି  ଦେଖାଯାଏ ନାହିଁ । ମହାଳୟାରେ ତର୍ପଣ କଲେ ଦିବଂଗତ ଆତ୍ମାମାନଙ୍କ ଉପରୁ କାର୍ମିକ ଋଣ ଭାର କଟିଯିବା ସହିତ ସେମାନଙ୍କର  ଆଧ୍ୟାତି୍ମକ ଯାତ୍ରା ପଥର ଉତ୍ତରଣ ସୁଗମ ହୋଇଥାଏ । ଏଣୁ ସେମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ମହାଳୟାରେ କାଉ, କୁକୁର ତଥା ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଦେବା ଶୁଭଦାୟକ ହୋଇଥାଏ ।

କ’ଣ କହନ୍ତି ପୁରାଣଶାସ୍ତ୍ର:  

ମହାଳୟାର ବିଶେଷତ୍ୱ ପ୍ରତିପାଦନ କରିଛି ଆମର ପୁରାଣ ଶାସ୍ତ୍ର । ମହାଭାରତରେ  ଏକ ଉପାଖ୍ୟାନ ରହିଛି ଯେ କୁରୁକ୍ଷେତ୍ର ଯୁଦ୍ଧରେ ମହାଦାନୀ କର୍ଣ୍ଣ ଅର୍ଜୁନଙ୍କ  ଦ୍ୱାରା ନିହତ ହେବା ସ୍ୱର୍ଗ ଗମନ କରିବା ପଥରେ ମୃତ୍ୟୁ ଦେବତା ଯମଙ୍କୁ  ଭେଟିଲେ । ସେ ଯମଙ୍କୁ ନିବେଦନ କଲେଯେ ତାଙ୍କୁ କିଛି ସମୟ ପାଇଁ ପୁଣି  ଥରେ ମର୍ତ୍ତ୍ୟକୁ ଫେରିଯିବାକୁ ସୁଯୋଗ ଦିଅନ୍ତୁ । କାରଣ ସେ ପିତୃକର୍ମ ସମ୍ପୂର୍ଣ୍ଣ  କରିପାରିନାହାନ୍ତି । ଏହି କାରଣରୁ ତାଙ୍କର ପିତୃପୁରୁଷ ସଦଗତି ପ୍ରାପ୍ତ କରିନପାରି  କଷ୍ଟଭୋଗ କରୁଛନ୍ତି । ପ୍ରାପ୍ତ ସମୟ ମଧ୍ୟରେ ସେ ସେହି କର୍ମ ସମ୍ପୂର୍ଣ୍ଣ କରିବେ ।  କର୍ଣ୍ଣଙ୍କର ପୂର୍ବପୁରୁଷଙ୍କ ପ୍ରତି ଥିବା ନିଷ୍ଠା,ଭକ୍ତି ଯମଙ୍କୁ ଅଭିଭୂତ କଲା ଏବଂ ସେ  କର୍ଣ୍ଣଙ୍କୁ ମର୍ତ୍ତ୍ୟମଣ୍ଡଳକୁ କିଛି ସମୟ ପାଇଁ ଫେରାଇଦେଲେ । ଯେଉଁ ଦିନଟି କର୍ଣ୍ଣ  ପିତୃକର୍ମ ଶେଷ କରି ପୁଣି ସ୍ୱର୍ଗଗାମୀ ହୋଇଥିଲେ ସେହିଦିନଟି ଥିଲା ମହାଳୟା ।  ପିତୃପୁରୁଷଙ୍କୁ ପିଣ୍ଡ ଦେବାର ଅଧିକାର କେବଳ ପିତା,ପୁଅ,ନାତିର ଅଛି ବୋଲି  ସାଧାରଣରେ ବିଚାର କରାଯାଏ । ଅର୍ଥାତ୍‌ କେବଳ ପୁରୁଷଙ୍କୁ ଏହି ଅଧିକାର  ଦିଆଯାଇଥିବାର ମନେ କରି ପ୍ରାୟତଃ ପରିବାରରେ ପୁଅଟିଏ ପାଇବା ପାଇଁ ସମସ୍ତେ  ବ୍ୟଗ୍ର ଥାଆନ୍ତି । ‘ପୁଅ ନଥିଲେ କୁଳ ପାଣି ପାଇବ ନାହିଁ’ ବୋଲି ବିଶ୍ୱାସ ରହିଛି ।  ମାତ୍ର ଏହି ଧାରଣା, ବିଶ୍ୱାସ ଅମୂଳକ । ଝିଅ ଅର୍ଥାତ୍‌ ମହିଳାମନେ ମଧ୍ୟ ପିଣ୍ଡଦାନ  କରିପାରିବେ । ତେବେ ବିଭିନ୍ନ ବିଶେଷ ପରିସ୍ଥିତିରେ ମହିଳାମାନଙ୍କୁ ପିଣ୍ଡ ଦାନ  କରିବାର ଅଧିକାର ଦିଆଯାଇଛି । ଏହାର ଉଦାହରଣ ପୁରାଣ ଶାସ୍ତ୍ରରୁ ହିଁ ମିଳେ ।

ଝିଅ ବି ଦେଇପାରିବେ ପିଣ୍ଡ 

ଝିଅ ମଧ୍ୟ ପିଣ୍ଡଦାନ କରିପାରିବେ ବୋଲି କାଳଜୟୀ ମହାକାବ୍ୟ  ରାମାୟଣରେ ଉଦାହରଣ ରହିଛି । ମହାସତୀ ସୀତା ତାଙ୍କର ଶ୍ୱଶୁର  ମହାରାଜା ଦଶରଥଙ୍କୁ ପିଣ୍ଡ ଦାନ କରିଥିଲେ ବୋଲି ରାମାୟଣରେ ଉଲ୍ଲେଖ  ରହିଛି । ରାମାୟଣ କହେ, ପୁରୁଷୋତ୍ତମ ଶ୍ରୀରାମ ଅଯୋଧ୍ୟା ତ୍ୟାଗ  କରି ୧୪ବର୍ଷ ବନବାସରେ ଯିବା ପରେ ପରେ ପୁତ୍ର ଶୋକରେ ଅଧୀର  ମହାରାଜା ଦଶରଥଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପରବର୍ତ୍ତୀ  ସମୟରେ ଭରତଙ୍କଠାରୁ ପାଇ ରାମ,ଲକ୍ଷ୍ମଣ ପିତାଙ୍କ ଉଦ୍ଦେଶ୍ୟରେ  ପିଣ୍ଡଦାନ କରିବାକୁ ପ୍ରସ୍ତୁତ ହୋଇଗଲେ । ଦୁଇ ଭାଇ ପିଣ୍ଡଦାନ ଲାଗି  ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିବାକୁ ଯାଇଥିବା ସମୟରେ ଫଲ୍‌ଗୁ ନଦୀ  କୂଳରେ ଏକା ଥିଲେ ସୀତା । ସେହି ସମୟରେ ଶୂନ୍ୟବାଣୀ ହେଲାଯେ  ପିଣ୍ଡଦାନର ଉପଯୁକ୍ତ ସମୟ ଅତିବାହିତ ହେବାକୁ ଯାଉଛି । ସୀତା କ’ଣ  କରିବେ ବୋଲି ଭାବି ଚିନ୍ତିତ ହୋଇପଡ଼ିଲେ । ପୁତ୍ରବଧୂ ସୀତାଙ୍କର ଚିନ୍ତା  ଦୂର କରିବାକୁ ଆକାଶ ମଣ୍ଡଳରେ ଦଶରଥ ସୂକ୍ଷ୍ମଶରୀରରେ ଆବିର୍ଭୂତ  ହେଲେ ଏବଂ ସୀତାଙ୍କୁ ପିଣ୍ଡଦାନ କରିବାକୁ ପରାମର୍ଶ ଦେଲେ । ସୀତା  ପବିତ୍ର ଫଲ୍‌ଗୁ ନଦୀ ବାଲିରେ ପିଣ୍ଡ ପ୍ରସ୍ତୁତ କରି ଶ୍ୱଶୁରଙ୍କୁ ପିଣ୍ଡଦାନ  କରିଥିଲେ । ଦଶରଥ ମୋକ୍ଷ ପ୍ରାପ୍ତ ହେଲେ । ଆଜି ବି ବିହାର ସ୍ଥିତ  ଫଲ୍‌ଗୁ ନଦୀ କୂଳରେ ଲୋକମାନେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ।

କେଉଁ ପରିସ୍ଥିତିରେ ଝିଅ କରିବେ ପିଣ୍ଡଦାନ :  

ଘରେ ବଡ଼ପୁଅ କିମ୍ବା ସାନପୁଅ ନଥିଲେ ସେହି ପରିସ୍ଥିତିରେ ବୋହୂ ପୂର୍ବଜଙ୍କୁ ପିଣ୍ଡଦାନ କରିପାରିବେ । ଝିଅ ମଧ୍ୟ ନିଜ ପିତାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କର୍ମ କରିପାରିବେ । ଉଭୟ ପୁତ୍ର କିମ୍ବା ପୁତ୍ରୀ ନଥିଲେ ପତ୍ନୀ ନିଜର ଦିବଂଗତ ସ୍ୱାମୀଙ୍କ ପାଇଁ ଶ୍ରାଦ୍ଧ କର୍ମ କରିବାକୁ  ଯୋଗ୍ୟ । 

ଯଦି ପତ୍ନୀ ବି ଜୀବିତ ନଥାନ୍ତି, ତେବେ ନିକଟ ସମ୍ପର୍କୀୟ, ନାତି, ଭଣଜା ଶ୍ରାଦ୍ଧ କର୍ମ  କରିପାରିବେ ।

ଯଦି ପରିଜନ ବି ନଥାନ୍ତି ତେବେ ଶିଷ୍ୟ, ମିତ୍ର  ଅଥବା ଅନ୍ୟ କୋଇ ପ୍ରିୟବ୍ୟକ୍ତି, ଆଗ୍ରହୀ ବ୍ୟକ୍ତି  ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ମହାଳୟାରେ ଶ୍ରାଦ୍ଧ,ତର୍ପଣ କରି ଆତ୍ମାର ଶାନ୍ତି ବିଧାନ  କରିପାରିବେ