ଫୁଲବାଣୀ,୩୧/୧୦ : ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପସ୍କୋ କୋର୍ଟ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଦୋଷୀକୁ ୧୨ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୧ବର୍ଷ ୩ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ଅଦାଲତ। ଅଭିଯୁକ୍ତ ଜଣଙ୍କ ହେଲେ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ଜିତୁ ପ୍ରଧାନ(୨୦)।
ସୂଚନା ଅନୁସାରେ, ଗତ ୨୦୨୨ ଜୁଲାଇ ୧୧ ତାରିଖରେ ୮ ବର୍ଷିୟା ପୀଡ଼ିତାଙ୍କ ମା’ ତାଙ୍କ ୩ ମାସିଆ ଛୁଆକୁ ଦେଖାଶୁଣା କରିବା ପାଇଁ କହି ବିଲ କାମ କରିବାକୁ ଯାଇଥିଲେ। ଏହି ସମୟରେ ପଡୋଶୀ ଘରର ଅଭିଯୁକ୍ତ ଜଣକ ଘର ଭିତରକୁ ଆସି ଜବରଦସ୍ତି ଦୁଷ୍କର୍ମ କରିଥିଲା। ମାଆ ଘରକୁ ଫେରି ଝିଅ କାନ୍ଦୁଥିବା ଦେଖି ପଚାରିବାରୁ ସେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲା। ପରଦିନ ବ୍ରାହ୍ମଣୀ ଗାଁ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରାଯାଇଥିଲା।
ପୁଲିସ କେଶ ନଂ ୬୦/୨୨ରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶୁକ୍ରବାର ମାମଲାର ଶୁଣାଣି କରି ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ୧୯ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସରକାରଙ୍କ ତରଫରୁ ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।