ନୂଆଦିଲ୍ଲୀ, ୮/୧୦ : ସରକାର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ନିଜ ସୋସିଆଲ ମିଡିଆ ଏକ୍ସରେ ସେ ଏହି ସୂଚନା ଦେଇଛନ୍ତି । ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେଠାରେ ସେ ୧୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ୨୦୧୪ ମେ ୨୬ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେବେଠାରୁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି । ମୋଦି ଲେଖିଛନ୍ତି ଯେ ଆଜି ସେ ସରକାରର ମୁଖ୍ୟ ଭାବେ ଈଶ୍ୱର ରୂପୀ ଜନତା ଜନାର୍ଦ୍ଦନଙ୍କ ସେବା କରିବାର ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ୨୫ ବର୍ଷ ଭିତରେ ପ୍ରତି ଦିନ, ପ୍ରତି କ୍ଷଣ ସେ ଦେଶବାସୀଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ଦେଶର ବିକାଶ ଲାଗି ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପ୍ରୟାସ କରିଛନ୍ତି । ଦେଶବାସୀଙ୍କ ଠାରୁ ତାଙ୍କୁ ନିରନ୍ତର ସ୍ନେହ ଓ ଶ୍ରଦ୍ଧା ମିଳିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହି ୨୫ ବର୍ଷ ଭିତରେ ମୋଦି ଏଭଳି କିଛି ନିର୍ଣ୍ଣୟ ନେଇଛନ୍ତି କିମ୍ବା କାର୍ଯ୍ୟ କରିଛନ୍ତି ଯାହାକି ପ୍ରଥମେ ଗୁଜରାଟର ଦିଶା ଓ ଦଶା ବଦଳାଇଥିଲା । ଏହା ପରେ ୧୧ ବର୍ଷରୁ ଅଧିକ ସମୟ ଧରି ତାଙ୍କର ସୁଶାସନ ଯୋଗୁ ଦେଶର ରାଜନୈତିକ ଓ ଶାସନ ଧାରାରେ ବଡ ପରିବର୍ତ୍ତନ ଘଟିଛି । ୨୦୦୧ ଅକ୍ଟୋବରରୁ ୨୦୧୪ ମେ ପର୍ଯ୍ୟନ୍ତ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ । ଗୁଜରାଟରେ ଦାୟିତ୍ୱ ନେବାର ଅଳ୍ପ କିଛିମାସ ଭିତରେ ଭୁଜରେ ବିନାଶକାରୀ ଭୂକମ୍ପ ଆସିଥିଲା । ଯେଉଁଥିରେ ଭିତ୍ତିଭୂମି ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା । ମୋଦି ଭିତ୍ତିଭୂମିର ବିକାଶ ଲାଗି ଆରମ୍ଭ କରିଥିଲେ ପୁନର୍ବାସର ମହାମିଶନ । ସେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ମଧ୍ୟ କରିଥିଲେ । ୨୦୦୩ରେ ଗୁଜରାଟରେ ପ୍ରତି ଘରେ ବିଦ୍ୟୁତ ସେବା ପହଞ୍ଚାଇବାକୁ ସେ ଆରମ୍ଭ କରିଥିଲେ ଜ୍ୟୋତିଗ୍ରାମ ଯୋଜନା । ଫଳରେ କୃଷି ଓ ଗ୍ରାମୀଣ ଜନଜୀବନରେ ବଡ଼ ପରିବର୍ତ୍ତନ ଆସିଥିଲା । ୨୦୦୩ରେ ସେ ଗୁଜରାଟରେ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ଆୟୋଜିତ କରିଥିଲେ । ଯାହା ଏବେ ବି ଜାରି ରହିଛି । ଏହାଫଳରେ ଗୁଜରାଟର ଅର୍ଥ ବ୍ୟବସ୍ଥା ମଜଭୁତ ହୋଇଥିଲା ।

ସେହିଭଳି ସେ ନର୍ମଦା କେନାଲ ନେଟୱାର୍କର ସମ୍ପ୍ରସାରଣ କରିଥିଲେ । ଯାହାଫଳରେ ନର୍ମଦାର ଅତିରିକ୍ତ ପାଣିକୁ ସେ ଜଳସେଚନ ଓ ପାନୀୟ ଜଳ ଭାବେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ସେ ସ୍ୱଚ୍ଛ ଭାରତ ମିଶନ, ଜନଧନ ଯୋଜନା, ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ, ନୋଟବନ୍ଦୀ, ଉଜ୍ୱଳା ଯୋଜନା,ଜିଏସ୍‌ଟି. ଡିଜିଟାଲ ଇଣ୍ଡିଆ,ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଦି ପାଇଁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଆତଙ୍କବାଦ ପ୍ରତି ଶୂନ ସହନଶୀଳତା ନୀତି ଗ୍ରହଣ କରିଥିଲେ । ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣ ପରେ ସୀମା ଆରପଟେ ଥିବା ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ଆରମ୍ଭ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌ । ସେହିଭଳି ୨୦୧୯ରେ ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପାକସ୍ତାନ ଭିତରେ ପଶି ବାଲକୋଟରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ ।

ଚଳିତବର୍ଷ ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର ।  । ଏହି ଯୋଜନାରେ ପ୍ରତିବର୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ପଠାଯାଉଛି । ୨୦୧୮ରେ ମୋଦି ସରକାର ଆରମ୍ଭ କରିଥିଲେ ଆୟୁଷ୍ମାନ ଭାରତ ଯୋଜନା । ଏହି ଯୋଜନା ମାଧ୍ୟମରେ ଦେଶର ୧୨ କୋଟି ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ପ୍ରାୟ ୫୫ କୋଟି ଲୋକ ଏହି ଯୋଜନାର ଲାଭ ପାଇପାରୁଛନ୍ତି । ୨୦୧୯ରେ ମୋଦି ସରକାର ଦେଶରେ ପ୍ରଚଳିତ ତିନି ତଲାକ ପ୍ରଥାକୁ ଉଚ୍ଛେଦ କରିଥିଲେ । ସେହିଭଳି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏକ ବଡ ନିଷ୍ପତ୍ତି ନେଇଥିଲେ ।