ନୂଆଦିଲ୍ଲୀ,୯/ ୧୦ : ଭାରତୀୟ କ୍ରିକେଟ ଟିମର ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ଶାମି ତାଙ୍କର ନୀରବତା ଭାଙ୍ଗିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ଶାମି ସ୍ପଷ୍ଟ ଭାବେ କହିଛନ୍ତି, ଫିଟନେସ୍ ତାଙ୍କର ଚିନ୍ତାର ବିଷୟ ନୁହେଁ, କିନ୍ତୁ ଏହି ଚୟନ ସମ୍ପୂର୍ଣ୍ଣ ଭାବେ ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପରଠାରୁ ଅନ୍ତର୍ଜାତୀୟ ଦଳରୁ ବାହାରେ ଥିବା ଶାମି ଏବେ ଘରୋଇ କ୍ରିକେଟ୍ ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।
ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡ଼ିଓରେ ଶାମି କହିଛନ୍ତି, ’ଅନେକ ଲୋକ ପଚାରୁଛନ୍ତି ଯେ, ମୋତେ ଅଷ୍ଟ୍ରେଲିଆ ସିରିଜ୍ ପାଇଁ କାହିଁକି ଚୟନ କରାଗଲା ନାହିଁ। ମୁଁ କେବଳ ଏତିକି କହିବି ଯେ, ଚୟନ ମୋ ହାତରେ ନାହିଁ। ଏହା ଚୟନକର୍ତ୍ତା, ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁଭମନ ଗିଲଙ୍କ ନିଷ୍ପତ୍ତି । ଯଦି ସେମାନେ ଭାବନ୍ତି ଯେ ମୁଁ ଦଳ ପାଇଁ ପ୍ରସ୍ତୁତ, ତେବେ ସେମାନେ ମୋତେ ଡାକିବେ, କିନ୍ତୁ ମୁଁ ଅଭ୍ୟାସ କରୁଛି ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।’
ଶାମି କହିଛନ୍ତି ଯେ, ସୋସିଆଲ ମିଡ଼ିଆରେ ତାଙ୍କ ଫିଟନେସକୁ ନେଇ ଯେଉଁ ଗୁଜବ ହେଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସେ କହିଛନ୍ତି, ’ଅନେକ ଗୁଜବ ଏବଂ ମିମ୍ସ ଚାଲିଛି, କିନ୍ତୁ ମୋର ଫିଟନେସ୍ ସମ୍ପୂର୍ଣ୍ଣ ଠିକ୍ ଅଛି। ମୁଁ ପ୍ରତିଦିନ କଠିନ ପରିଶ୍ରମ କରୁଛି ଏବଂ ମୋ ଶରୀର ଉପରେ କାମ କରୁଛି।’