ମାଲକାନଗିରି,୧୯/୧୦ : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ବିଷ୍ଣୁ ନାୟକ ହତ୍ୟା ଘଟଣା ଆଜି ଏକ ନୂଆ ମୋଡ଼ ନେଇଛି ପ୍ରେମ ଜନିତ ଏହି ହତ୍ୟାକାଣ୍ଡରେ ବିଷ୍ଣୁଙ୍କ ପ୍ରେମିକା ବୋଲି କୁହାଯାଉଥିବା ନାବାଳିକା ଝିଅ ଆତ୍ମହତ୍ୟା କରିଛି ।

ସୂଚନା ଅନୁଯାୟୀ ଗତ କିଛିଦିନ ପୂର୍ବେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କତ୍ତାପାଲ୍ଲି ପଞ୍ଚାୟତର ରେଙ୍ଗାବେଡା ଗ୍ରାମର ବିଜୟ ନାୟକଙ୍କ ପୁଅ ବିଷ୍ଣୁଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବା ସହ ମାଥିଲି ପୋଲିସ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ନାବାଳିକାର ବାପା ରହିଥିବାବେଳେ ତାଙ୍କ ଝିଅଙ୍କ ତ୍ରିକୋଣୀୟ ଭଲ ପାଇବା ଯୋଗୁଁ ​‌ସେ ଓ ତାଙ୍କର ଦୁଇ ସହଯୋଗୀ ସାଗର ସୁନାମ ଏବଂ ମନୋଜ ଗୌଡ଼ ବିଷ୍ଣୁଙ୍କୁ ହତ୍ୟା କରିଥିବା ଆଧାରରେ ମାଥିଲି ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବାବେଳେ ଏହି ଘଟଣା ଆଜି ଏକ ନୂଆ ମୋଡ଼ ନେଇଛି । ନାବାଳିକା ଝିଅ ଆଜି ଆତ୍ମହତ୍ୟା କରିଛି । ଯାହାକୁ ନେଇ ଅଭିଯୁକ୍ତର ପତ୍ନୀ ତଥା ମୃତ ନାବାଳିକାର ମାସଙ୍ଗିନ ଅଭିଯୋଗ ଆଣିଛନ୍ତି ।

ସେ ପ୍ରକାଶ କରିଛନ୍ତି ଯେ, ମୋ ଝିଅର ତ୍ରିକୋଣୀୟ ଭଲପାଇବା କଥା ଶୁଣିବା ପରେ ଝିଅ ମାନସିକ ଆଘାତ ପାଇଥିଲା। ଏହାସହ ବାପାର ଗିରଫ ମଧ୍ୟ ତାଙ୍କୁ ବେଶ୍ କଷ୍ଟ ଦେଇଥିଲା। ଯାହାକୁ ନେଇ ଝିଅ କନିଆରି ଫଳ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଝିଅ ମୃତ୍ୟୁ ହୋଇଥିବା ମାଅଭିଯୋଗ କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଷ୍ଣୁକୁ ମୋର ସ୍ଵାମୀ ହତ୍ୟା କରି ନାହାନ୍ତି, ଫେରାର ଥିବା ଦୀପକ କୁମାର ହିଁ ଏହି ହତ୍ୟା କରିଥିବାବେଳେ ତାଙ୍କ ସ୍ଵାମୀଙ୍କୁ ମୁକୁଳାଇବାକୁ ସେ ଅନୁରୋଧ କରିଛନ୍ତି । ତେବେ ଏ ନେଇ ମାଥିଲି ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ ପୀଡ଼ିତାଙ୍କ ମାଗୁଣମତିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ଘଟଣାର ତଦନ୍ତ ସଠିକ୍ ଭାବେ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।