ଲହୁଣୀପଡ଼ା ୨୪/୯(ଆପ୍ର): ଗୋଟିଏ ଦିନରେ ଲିଭିଗଲା ପରିବାରର ଦୁଇ ସଦସ୍ୟଙ୍କ ଜୀବନ ଦିପ। ଚାହୁଁଚାହୁଁ ଭାଙ୍ଗିଗଲା ହସ ଖୁସିର ସଂସାର। ଖବର ମୁତାବକ, ସୁନ୍ଦରଗଡ ଜିଲ୍ଲା ମହୁଲପଡା ଥାନା ଅନ୍ତର୍ଗତ ବଡଚୁଆଁ ଗ୍ରାମରେ ସପ କାମୁଡ଼ାରେ ଗୋଟିଏ ପରିବାରର ମା, ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ବଡଚୁଆଁ ଗ୍ରାମର ରଥ କୋଲ୍ଲଙ୍କ ପରିବାର ଖାଇ ସାରିବା ପରେ ଶୋଇବାକୁ ଯାଇଥିଲେ। ରଥ ଖଟ ଉପରେ ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ଛୋଟ ନାବାଳକ ପୁଅ ଅବିନାଶ (୪) ତଳେ ସପ ପାରି ଶୋଇଥିଲେ। ତେବେ ହଠାତ ରାତି ୩ ଟାରେ ତାଙ୍କ ସ୍ତ୍ରୀ ତାଙ୍କୁ କିଛି କାମୁଡି ଦେଇଥିବା କହିଥିଲେ। ରଥ ଏନେଇ ଭଲଭାବେ ଦେଖିବାରୁ ଏକ ସାପ ବିଛଣା ପାଖେ ଥିବା ଜାଣିବାକୁ ପାଇଥିଲେ। ସେ ତାକୁ ସଂଗେ ସଂଗେ ମାରି ଦେଇଥିଲେ। ତେବେ ତାଙ୍କ ପୁଅ ହଠାତ୍ ଗୁରୁତର ହୋଇ ଅଚେତ ହୋଇ ପଡିଥିଲେ।

ଏହାପରେ ସେ ବିଳମ୍ୱ ନକରି ଏକ ବୋଲେରୋ ଯୋଗେ ମା ଓ ପୁଅଙ୍କୁ ବଣାଇ ଡାକ୍ତରଖାନା ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ଅବିନାଶଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଣଇଁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ପହଞ୍ଚିବା ବେଳକୁ ତାଙ୍କୁ ଡାକ୍ତର ମୃତବୋଲି ଘୋଷଣା କରିଥିବା ଜଣା ପଡିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।