ଭୁବନେଶ୍ବର, ୧୬।୧୦ : ପୁଲିସ ଏସଆଇ ପରୀକ୍ଷା  ଦୁର୍ନୀତି ଘଟଣାରେ ଫେରାର ଥିବା ମୁନା ମହାନ୍ତି କ୍ରାଇମବ୍ରାଞ୍ଚ ହାତରେ ଧରାପଡିଛି। ଦଶପଲ୍ଲା ପୂଜାମେଣ୍ଡିରୁ ମୁନାକୁ ଉଠାଇ ଆଣିଲା କ୍ରାଇମବ୍ରାଞ୍ଚ। ଫାର୍ମ ହାଉସରେ ଲୁଚିଥିବା ବେଳେ କ୍ରାଇମବ୍ରାଞ୍ଚ  ଧରିଥିଲା। ଏଥିସହ ଫାର୍ମ ହାଉସ ମାଲିକଙ୍କୁ  ବି କ୍ରାଇମବ୍ରାଞ୍ଚ ଉଠାଇ ନେଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଚଢାଉ ଜାରି ରଖିଛି।

ରାଜ୍ୟ ପୁଲିସ  ଏସ୍‌ଆଇ ଲିଖିତ ପରୀକ୍ଷା କେଳେଙ୍କାରୀ  ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି  କରାଯାଇଥିଲା । ମାମଲାରେ ଫେରାର୍‌ ଥିବା ଦୁଇ ମାଷ୍ଟରମାଇଣ୍ଡ୍‌ ଗଞ୍ଜାମର ଶଙ୍କର ପୃଷ୍ଟି ଓ କଟକ ବାଙ୍କୀ କଳାପଥରର ମୁନା ମହାନ୍ତି ନାଁରେ ଏହି ସର୍କୁଲାର ଜାରି  କରାଯାଇଥିଲା ।  ବର୍ତ୍ତମାନ ମୁନା ଧରାପଡିଥିବା ବେଳେ ଶଙ୍କର ଫେରାର ରହିଛି।

ସୂଚନାଯୋଗ୍ୟ ଯେ ପୋଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ଦେଇଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି  ଦୁର୍ନୀତି ପାଇଁ ଯୋଜନା କରିଥିଲେ । ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ପୂର୍ବରୁ ୧୧୯ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧୪ ଜଣ ପରୀକ୍ଷାର୍ଥୀ ଥିବା ବେଳେ ୫ ଜଣ ଦଲାଲ ରହିଛନ୍ତି।