ପୁରୀ, ୩୦।୧୦ :  ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ହଜାର ହଜାର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ତାଳବଣିଆରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ ଅଫିସରେ ପହଞ୍ଚି ଥିଲା। ଏହି ଅବସରରେ ୧୮ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ପୁଲିସ ଚାଷୀମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଯିବାକୁ ଦେଇ ନଥିଲା। ଫଳରେ ଏକ ପ୍ରତିନିଧି ଦଳ ଯାଇ ଦାବିପତ୍ର ଦେଇଥିଲେ। 

ଚାଷୀମାନଙ୍କ ପ୍ରମୁଖ ଦାବିଗୁଡ଼ିକ ହେଲା ୬୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ। ଆଗାମୀ ବଜେଟ୍‌ରେ ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷରୁ ଚାଷୀ ସରୁକ୍ଷା ଭତ୍ତା ମାସିକ ୧୦,୦୦୦ ଟଙ୍କା ହିସାବରେ ବର୍ଷକୁ ୪୩,୨୦୦ କୋଟି ଟଙ୍କାର ବ୍ୟବସ୍ଥା । ଧାନର ଏମଏସପି ଅତିକମରେ ୫,୦୦୦ ଟଙ୍କା ଘୋଷଣା କରାଯାଉ। ପୁରୀ ଜିଲ୍ଲାର ଯେଉଁ ସବୁ ଅଞ୍ଚଳରେ ମାଛ ଓ ପାନ ଚାଷ କରାଯାଉଛି, ଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ଦିଆଯାଉ। ୫ ବର୍ଷ ଭିତରେ ସମସ୍ତ ଜମିକୁ ଜଳସେଚିତ କରାଯାଉ। ମଣ୍ଡିରେ ଧାନ କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ କରାଯାଇ ଏବଂ ବିକ୍ରି ବ୍ୟବସ୍ଥାକୁ କଡ଼ା କଡ଼ି ଭାବରେ ପାଳନ କରାଯାଉ।

ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ବ୍ୟବସ୍ଥା , ରିଲିଫ କୋର୍ଡକୁ କ୍ଷତି ଯେତେ ଦିଅ ସେତେଆଧାରରେ ସଂଶୋଧନ , ଫସଲ ନଷ୍ଟ କରୁଥିବା ମାଙ୍କଡ଼, ଷଣ୍ଢ, ବାରାହା, ହରିଣ ଓ ହାତୀ ଇତ୍ୟାଦି କବଳରୁ ରକ୍ଷା ପାଇବାର ସ୍ଥାୟୀ ପ୍ରତିକାର , ଭାଗ ଚାଷୀକୁ ଭାଗ ଚାଷୀର ମାନ୍ୟତା ପ୍ରଦାନ , ଚାଷୀକୁ ସଂପୂର୍ଣ ବିଜୁଳି ଶୁକ୍ଳ ମୁକ୍ତ , ସ୍ବାସ୍ଥ୍ୟ ଓ ଶିକ୍ଷାକୁ ସଂପୂର୍ଣ୍ଣ ବ୍ୟବସାୟୀକରଣରୁ ମୁକ୍ତ କରାଯାଇ ମାଗଣାରେ ଉପଲବ୍ଧ କରାଯାଉ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କଂପାନୀ ଠାରୁ ବୀମା ଛଡ଼ାଇ ନେଇ ସରକାର ସିଧାସଳଖ ନିଜେ ବୀମା ପରିଚାଳନା କରନ୍ତୁ। ଅସ୍ତରଙ୍ଗରେ ସରକାରଙ୍କ ଦ୍ବାରା ନିର୍ମାଣ ହେବାକୁ ଯାଉଥିବା ବନ୍ଦରକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ଯାଇ ଚାଷ ଜମିକୁ ମୁକ୍ତ କରାଯାଉ। ଓଡ଼ିଶାକୁ ସଂପୂର୍ଣ୍ଣ ନିଶାମୁକ୍ତ କରାଯାଉ। ଅଫିସରୁ ଦୁର୍ନୀତି ହଟାଇବା ସହିତ ପିସି ଭଳି ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ କଠିନ ଦଣ୍ଡ ବିଧାନ କରିବାକୁ ଦାବି କରିଛନ୍ତି।