ନବରଙ୍ଗପୁର, ୯।୧୦( ଆପ୍ର): ନବରଙ୍ଗପୁର ଜିଲ୍ଲାରେ ଅପପୁଷ୍ଟି ରୋକିବାରେ ଜିଲ୍ଲାପ୍ରଶାସନ ସଫଳ ଭୂମିକା ଗ୍ରହଣ କରିଛି । ଦେଶର ୧୧୨ଟି ଆକାଂକ୍ଷା ଜିଲ୍ଲା ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଅପପୁଷ୍ଟି ହ୍ରାସ କ୍ଷେତ୍ରରେ ଦେଶରେ ତୃତୀୟ ସ୍ଥାନ ହାସଲ କରିଛି । ଏଥିପାଇଁ ନୀତି ଆୟୋଗ ପକ୍ଷରୁ ନବରଙ୍ଗପୁର ଜିଲ୍ଲାକୁ ପୁରସ୍କୃତ କରାଯାଇଛି।
ଗୁରୁବାର ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ଏକାଡେମୀ ମସୁରୀଠାରେ ନୀତି ଆୟୋଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁଙ୍କୁ ନୀତି ଆୟୋଗର ସିଇଓ ଭି.ବି.ଆର ସୁବ୍ରମନ୍ୟୁମ୍ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତି। ଏଥି ସହିତ ନବରଙ୍ଗପୁର ଜିଲ୍ଲାର ଅପପୁଷ୍ଟି ହ୍ରାସ ପାଇଁ ପରିଶ୍ରମ କରିଥିବା ଟିମର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି । ଦୀର୍ଘ ବର୍ଷ ଧରି ଅପପୁଷ୍ଟିର ଅପବାଦ ମୁଣ୍ଡାଇଥିବା ନବରଙ୍ଗପୁର ଜିଲ୍ଲାକୁ ଅପପୁଷ୍ଟି ହ୍ରାସ କ୍ଷେତ୍ରରେ ସମସ୍ତ ବିଭାଗର ସାମୁହିକ ଉଦ୍ୟମ ପାଇଁ ନବରଙ୍ଗପୁର ଜିଲ୍ଲା ଗୌରବ ଅର୍ଜନ କରିଛି। ଏଥିପାଇଁ ଜିଲ୍ଲାପ୍ରଶାସନର ସମସ୍ତ ବିଭାଗର କର୍ମଚାରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।