ନୂଆଦିଲ୍ଲୀ,୨୨/୦୯: ଫୋନ୍‌ପେ, ପେଟିଏମ୍‌, କ୍ରିଡ୍‌ ଏବଂ  ଆମାଜନ ଭଳି ମୋବାଇଲ ଆପ୍ଲିକେସନରେ ଏଣିକି ଘରଭଡ଼ା  ଦେଇ ହେବନି । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏ ସମ୍ପର୍କିତ ପେମେଣ୍ଟକୁ ନେଇ ନୂଆ ଗାଇଡ୍‌ଲାଇନ ଜାରି କରିଛି । ନୂଆ ନିୟମ ଅନ୍ତର୍ଗତ ଫିନ୍‌ଟେକ ପ୍ଲାଟଫର୍ମ ଗୁଡ଼ିକ ନିଜ ଆପ୍‌ରେ କ୍ରେଡିଟ କାର୍ଡ ଜରିଆରେ ରେଣ୍ଟ୍‌ ପେମେଣ୍ଟ ସେବାକୁ ବନ୍ଦ କରି ଦେଇଛନ୍ତି ।  ରେଣ୍ଟ୍‌ ସର୍ଭିସକୁ ନେଇ ନୂଆ ସର୍କୁଲାର ଜାରି କରିଛି ଆର୍‌ବିଆଇ ।  

ନୂଆ ନିୟମ ମୁତାବକ, ପେମେଣ୍ଟ ଆଗ୍ରିଗେଟର ଏବଂ  ପେମେଣ୍ଟ ଗେଟ୍‌ୱେ ଏବେ କେବଳ ସେହି ବ୍ୟବସାୟୀଙ୍କ ସହ  କାରବାର କରିପାରିବେ, ଯେଉଁମାନଙ୍କ ସହ ସେମାନଙ୍କ ସିଧାସଳଖ ସମ୍ପର୍କ ରହିଥିବ କିମ୍ବା କେୱାଇସି ସମ୍ପୂର୍ଣ୍ଣ ହୋଇଥିବ । ଘର ମାଲି ମାନେ ସାଧାରଣତଃ  ପଞ୍ଜୀକୃତ ମର୍ଚ୍ଚାଣ୍ଟ  ନୁହନ୍ତି । ଏହି ଆଧାରରେ  ପ୍ଲାଟ୍‌ଫର୍ମ ଗୁଡ଼ିକରୁ ସେମାନଙ୍କ ଖାତାକୁ କ୍ରେଡିଟ୍‌ କାର୍ଡର ଟଙ୍କା ପଠାଇ ହେବନି । ପୂର୍ବରୁ କିଛି ଲୋକ ବିନା କେୱାଇସିରେ ଘର ଭଡ଼ା ଆଳ ଦେଖାଇ ସାଙ୍ଗସାଥୀ ଏବଂ ସମ୍ପର୍କିୟଙ୍କ ଖାତାକୁ  କ୍ରେଡିଟ କାର୍ଡରୁ ଟଙ୍କା ପଠାଇ ଦେଉଥିଲେ । ଆପ୍‌ ଗୁଡ଼ିକ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିବା ସହ ରିୱାର୍ଡ ପଏଣ୍ଟ କିମ୍ବା କ୍ୟାଶ୍‌ବ୍ୟାକ  ମିଳିଥାଏ । ଘର ମାଲିକଙ୍କ ସମ୍ପୂର୍ଣ୍ଣ କେୱାଇସି ହୋଇ ନ ଥିବାରୁ ଆର୍‌ବିଆଇକୁ ଏହ ନିୟମ ସମ୍ପୂର୍ଣ୍ଣ ଠିକ୍‌ ଲାଗି ନ ଥିଲା । ଫିନ୍‌ଟେକ କମ୍ପାନି ଗୁଡ଼ିକ ମାର୍କେଟ ପ୍ଲେସ୍‌ ଭଳି କାମ କରୁଥିଲେ । ଏହାକୁ ବେଆଇନ ବୋଲି ଦର୍ଶାଇଥିଲା ଆର୍‌ବିଆଇ । ଏହି ସେବା ଏବେ ବନ୍ଦ ହୋଇଛି । ଫିନ୍‌ଟେକ କମ୍ପାନି ଗୁଡ଼ିକୁ ଏବେ କଡାକଡି ନିୟମ  ପାଳନ କରିବାକୁ ହେବ । କ୍ରେଡିଟ୍‌ କାର୍ଡର ଏଭଳି ବେଆଇନ ବ୍ୟବହାରକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରିଛି ଆର୍‌ବିଆଇ।