ନୂଆଦିଲ୍ଲୀ,୦୪/୧୦: ଇତିହାସ ରଚିଲେ ଭାରତୀୟ ଆଥଲେଟ୍ସ । ଭାରତକୁ ଭେଟି ଦେଲେ ବ୍ୟାକ୍‌ ଟୁ ବ୍ୟାକ୍ ସ୍ୱର୍ଣ୍ଣ ପଦକ । ଚଳିତ ପାରା ଆଥଲେଟିକ୍ସ ବିଶ୍ୱ ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି ଇଣ୍ଡିଆନ ଆଥଲେଟ୍ସ । ସପ୍ତମ ଦିନରେ ଭାରତକୁ ୨ ସ୍ୱର୍ଣ୍ଣ ସହ ମୋଟ ୪ଟି ପଦକ ମିଳିଛି । ନିଶଦ କୁମାର ଓ ସିମରନ ସିଂ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ହାଇଜମ୍ପର ନିଶାଦ କୁମାର ଓ ସ୍ପ୍ରିଣ୍ଟର ସିମରନ ସିଂଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି ।

ପୁରୁଷ ହାଇଜମ୍ପ (ଟି-୪୭) ଫାଇନାଲ୍‌ରେ ନିଶଦ ୨.୧୪ ମିଟର ଉଚ୍ଚ ଜମ୍ପ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତୁର୍କୀର ଅବଦୁଲ୍ଲା ଇଲ୍‌ଗାଜ ୨.୦୮ମି. ସହ ରୌପ୍ୟ, ଆମେରିକାର ରୋଡେରିକ୍‌ ଟାଉନସେଣ୍ଡ୍‌ ୨.୦୩ମି. ସହ ବ୍ରୋଞ୍ଜ ଜିତିଛନ୍ତି । ମହିଳା ୧୦୦ମି. (ଟି-୧୨) ଫାଇନାଲ୍‌ରେ ସିମରନ ଓ ତାଙ୍କ ଗାଇଡ୍‌ ଉମର ସୈଫି ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ । ସିମରନ ୧୧.୯୫ସେକେଣ୍ଡରେ ରେସ୍‌ ଶେଷ କରି ସ୍ୱର୍ଣ୍ଣ ହାସଲ କରିଛନ୍ତି । ଚୀନର ଲିୟାଙ୍ଗ୍‌ ୟାନ୍‌ଫେନ (୧୨.୧୧ସେକେଣ୍ଡ) ରୌପ୍ୟ ଓ ସ୍ପେନର ନାଗୋରେ ଫୋଲଗାଡୋ ଗାର୍ସିୟା (୧୨.୧୧ସେକେଣ୍ଡ) ବ୍ରୋଞ୍ଜ ହାସଲ କରିଛନ୍ତି ।

ସ୍ବର୍ଣ୍ଣିମ ସଫଳତା ପରେ ନିଶାଦ କହିଛନ୍ତି, ''ଏହି ଦିନକୁ ବହୁ ବର୍ଷରୁ ଅପେକ୍ଷା କରିଥିଲି । ଗୋଟିଏ ଗୋଟିଏ ମିନିଟ୍‌ କଠିନ ପରିଶ୍ରମ କରିଥିଲି । ମୁଁ ମୋର ବେଷ୍ଟ ଦେଇଥିଲି । ସୁଯୋଗ ହାତଛଡା କରିବାକୁ ଚାହୁଁନଥିଲି । ସ୍ୱର୍ଣ୍ଣ ପଦକ ଜିତି ମୁଁ ବହୁତ ଖୁସି ।''

ସେହିପରି ସ୍ବର୍ଣ୍ଣ ପଦକ ଜିତିଥିବା ସିମରନ୍ କହିଛନ୍ତି, ''୧୦୦ମିଟରରେ ମୁଁ ନିଜକୁ ଅନଲକି ଭାବୁଥିଲି । ଶେଷରେ ୧୦୦ମିଟରେ ଗୋଲ୍ଡ ଆସିଗଲା । ୨୦୦ମିଟର ବାକି ଅଛି । ପିଏମ ମୋଦି ପ୍ରଧାନମନ୍ତ୍ରୀ ପୂର୍ବରୁ ପ୍ରଥମେ ଆମର ଫ୍ରେଣ୍ଡ । ଆମେ ତାଙ୍କ ସହ ଭଲରେ କଥା ହୋଇପାରୁ । ମେଡାଲ ତାଲିକା ବଢିବା ତାଙ୍କ ସମର୍ଥନ ପାଇଁ ସହଜ ହୋଇଛି । ୨୦୦ ମିଟରରେ ବି ସ୍ୱର୍ଣ୍ଣ ଜିତିବାକୁ ଚେଷ୍ଟା କରିବି ।''

ଚଳିତ ଚାମ୍ପିଅନସିପ୍‌ରେ ଭାରତ ୧୫ (୬ ସ୍ୱର୍ଣ୍ଣ, ୫ରୌପ୍ୟ, ୪ବ୍ରୋଞ୍ଜ) ପଦକ ସହ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ପ୍ରୀତି ପାଲ ଓ ପ୍ରଦୀପ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ଭାଗ ନେଇଥିବା ସୁଚିତ୍ର ପରିଡ଼ା ନିରାଶ କରିଛନ୍ତି । ମହିଳା ଜାଭେଲିନ୍‌ ଥ୍ରୋ ଏଫ୍‌ ୫୫/୫୬ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ।