ପଟ୍ଟାଙ୍ଗି, ୬/୧୧ : ହୁତୁହୁତୁ ହୋଇ ଜଳିଗଲା ଓଏସ୍ଆରଟିସି ବସ୍। ଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଅଘଟଣ। ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ଇଞ୍ଜିନରେ ସର୍ଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୫ଟା ବେଳେ ଏକ ଓଏସ୍ଆରଟିସି ବସ୍ ବିଜୟ ନଗର ଠାରୁ ଜୟପୁର ଅଭିମୁଖେ ଯାଉଥିଲା। ଆନ୍ଧ୍ର ସୀମାନ୍ତ କୋନାୱାଲାସା ପ୍ରଥମ ଘାଟି ଚଢ଼ୁଥିବା ବେଳେ ଇଞ୍ଜିନ୍ରୁ ଧୂଆଁ ବାହାରିଥିଲା। ଏହା ଦେଖି ଡ୍ରାଇଭର୍ ବସ୍ଟିକୁ ଅଟକାଇଥିଲେ। ଗାଡିରେ ଥିବା ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଦେଖୁ ଦେଖୁ ବସ୍ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଏନେଇ ଖବର ପାଇବା ପରେ ଆନ୍ଧ୍ରପ୍ରଦେଶ ସାଲୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଆନ୍ଧ୍ରର ପାସିପେନ୍ଟା ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଇଞ୍ଜିନରେ ସର୍ଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।