ଭୁବନେଶ୍ବର,୦୧/୧୧: ସିକସେମ ସେମିକଣ୍ଡକ୍ଟର ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରର ଯାଆଁଳାରେ ଥିବା ଇନ୍‌ଫୋ ଭାଲିଠାରେ ଏହି ସିକସେମ ସେମିକଣ୍ଡକ୍ଟର ଫାବ ଏବଂ ଏଟିଏମପି ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହା ୨୫ ଏକର ଜମିରେ ସ୍ଥାପନ ହେବ। ଯାହା ୨ ହଜାର କୋଟିର ନିବେଶ ସହ ୧ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି  କରିବ।

ତେବେ  ଏଠାରେ ବାର୍ଷିକ ୬୦ ହଜାର  ୱେଫର୍ଶ ଏବଂ ୯୬ ନିୟୁତ ପ୍ୟାକେଜିଙ୍ଗ କ୍ଷମତା ବିଶିଷ୍ଟ ୟୁନିଟ ବିକଶିତ ହେଉଛି। ନୂଆ ୟୁନିଟ ଦ୍ୱାରା ଦେଶର ସେମିକଣ୍ଡକ୍ଟର ଇକୋସିଷ୍ଟମ କ୍ଷେତ୍ରରେ ରାଜ୍ୟ ସକ୍ରିୟ ଭାବେ ଯୋଗଦାନ ଦେବ। ଯାହା ଓଡିଶାର ନୂଆ ସମ୍ଭାବନାକୁ ଦର୍ଶାଉଛି। ତେବେ ଓଡିଶା ଦେଶର ନୂଆ ଆଇଟି କ୍ୟାପିଟାଲ ଭାବେ ଉଭା ହେଉଥିବା ବେଳେ ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି  ମୁଖ୍ୟମନ୍ତ୍ରୀ । ସେପଟେ ଏହି କାର୍ଯ୍ୟକ୍ରମରେ ଭିସିରେ ଯୋଗ ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନ ବୈଷ୍ଣବ ଦେଶର ସେମିକଣ୍ଡକ୍ଟର କ୍ଷେତ୍ରରେ ସମ୍ଭାବନା ଉପରେ ମତ ରଖିଛନ୍ତି। ଓଡିଶା ଏ କ୍ଷେତ୍ରରେ ପ୍ରମୁଖ ଯୋଗଦାନ ଦେବ ବୋଲି କହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଇଟି ସଚିବ ବିଶାଳ ଦେବ, ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ଆଇଆଇଟି ଭୁବନେଶ୍ୱର ଶ୍ରୀପଦ କରମାଲକର ଏବଂ ସିକସେମର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।