ଭୁବନେଶ୍ୱର,୨୧/୦୯: ଓଡ଼ିଶା କଂଗ୍ରେସ ନେତାଙ୍କୁ ଦିଲ୍ଲୀରୁ ଆସିଛି ଡାକରା । ଆସନ୍ତା ୨୨ତାରିଖରେ ଏଆଇସିସି ଓଡ଼ିଶା ସଙ୍ଗଠନ ସୃଜନ ଉପରେ କରିବ ଆଲୋଚନା। ପିସିସି ସଭାପତି ଭକ୍ତଚରଣ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଦିଲ୍ଲୀ ଯିବେ ବୋଲି ସୂଚନା ଦେଇଛନ୍ତି ।
ଓଡ଼ିଶାରେ କଂଗ୍ରେସ ସଙ୍ଗଠନ କିଭଳି ମଜଭୁତ ହେବ । କିପରି ଦଳ କ୍ଷମତାକୁ ଫେରିବ ତାହା ଉପରେ ଏଆଇସିସି ଫୋକସ କରିଛି ବୋଲି ଶ୍ରୀ କାଡାମ୍ କହିଛନ୍ତି । ତେବେ ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକମାନେ ରିପୋର୍ଟ ଦେଇଛନ୍ତି । ତାହା ଉପରେ ଚୂଡାନ୍ତ ମୋହର ବାଜିବ । ୩୦ସୁଦ୍ଧା ଜିଲ୍ଲା ସଭାପତି ନାଁ ହେବ ଘୋଷଣା । ଏହା ପୂର୍ବରୁ ଓଡ଼ିଶାର ମଙ୍ଗୁଆଳ ସହ ବୈଠକ କରିବ ଏଆଇସିସି । ନିକଟରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଓଡିଶାରେ ସଂଗଠନ ସୃଜନ ଅଭିଯାନର ସମୀକ୍ଷା କରିବା ସହ ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିଥଲେ । ଜିଲ୍ଲା ସଭାପତିମାନଙ୍କୁ ଅଧିକ ଶକ୍ତଶାଳୀ କରିବା ପାଇଁ ଏଆଇସିସିର ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି ।
ତେବେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ବ୍ଲକ ସଭାପତି, ନଗର ସଭାପତି ଚୂଡାନ୍ତ କରାଯିବ । ଏଆଇସିସି ଓଡ଼ିଶାକୁ ଫୋକସ କରିଥିବାରୁ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ଓ ଏଆଇସିସିର ବରିଷ୍ଠ ନେତାମାନେ ବାରମ୍ୱାର ଦିଲ୍ଲୀ ଡାକି ଆଲୋଚନା କରୁଛନ୍ତି ବୋଲି କଂଗ୍ରେସ ନେତାମାନେ କହିଛନ୍ତି।