ଗୋପାଳପୁର, ୨୧/୦୫: ଗୋପାଳପୁର ଜେଟି ନିକଟରେ ମାଛଧରା ଡଙ୍ଗା ବୁଡ଼ି ଜଣେ ନିଖୋଜ । ସମୁଦ୍ର ମଝିରେ ଡଙ୍ଗା ଓଲଟି ପଡ଼ିବାରୁ ଜଣେ ନିଖୋଜ ହୋଇଥିବା ବେଳେ ୪ଜଣ ପହଁରି କୂଳକୁ ଫେରିଥିଲେ । ନିଖୋଜ ଥିବା ବ୍ୟକ୍ତି ଜଣକ ହେଲେ ଗୋପାଳପୁର ସତ୍ୟ ସାଇବାବା ସାହିର ବି.ଜେଙ୍ଗମେୟା (୩୮) । ତାଙ୍କୁ ଉଦ୍ଧାର କରିବା ପାଇଁ ଗୋପାଳପୁର ପୁଲିସ ଓ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।
ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଜେଟି ନିକଟରେ ମଙ୍ଗଳବାର ସକାଳେ ମାଛ ମାରିବାକୁ ସମୁଦ୍ର ଭିତରକୁ ଡଙ୍ଗାରେ ୫ଜଣ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଡଙ୍ଗାଟି ଓଲଟି ପଡ଼ିଥିଲା । ଯାହା ଫଳରେ ଜଣେ ନିଖୋଜ ହୋଇଥିବା ବେଳେ ୪ଜଣ ପହଁରି କୂଳକୁ ଫେରିଥିଲେ । ନିଖୋଜ ଥିବା ବ୍ୟକ୍ତି ଜଣକ ହେଲେ ଗୋପାଳପୁର ସତ୍ୟ ସାଇବାବା ସାହିର ବି.ଜେଙ୍ଗମେୟା । ସ୍ଥାନୀୟ ମତ୍ସ୍ୟଜୀବୀ ବହୁ ଖୋଜା ଖୋଜି କରିଥିଲେ । କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ମଙ୍ଗଳବାର ଅପରାହ୍ଣରେ ନିଖୋଜ ବ୍ୟକ୍ତିଙ୍କ ପତ୍ନୀ ବି.ପୋତାମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ବୁଧବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକ ଓ ବ୍ରହ୍ମପୁର ଅଗ୍ନିଶମ ବାହିନୀର ଅଧିକାରୀ ଠାକୁର ପ୍ରସାଦ ଦଳେଇ ଓ ସହଯୋଗୀ ଦଳ ସମୁଦ୍ରରେ ପ୍ରାୟ ସାଢେ ଦୁଇ ଘଣ୍ଟା ଜେସ୍କି ବୋଟ୍ରେ ଖୋଜା ଖୋଜି କରିଥିଲେ । ହେଲେ ଏଯାଏଁ ନିଖୋଜ ବି.ଜେଙ୍ଗମେୟାଙ୍କର କୌଣସି ପତ୍ତା ମିଳିନଥିବା ଥାନା ଅଧିକାରୀ କହିଛନ୍ତି ।