ଭୁବନେଶ୍ୱର,୭/୧୧ :  ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ନୂତନ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୁକ୍ରବାର ଓରିଏଣ୍ଟେସନ୍ କମ୍ ଫାଉଣ୍ଡେସନ୍ କୋର୍ସ ପ୍ରୋଗ୍ରାମ ଏବଂ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଏମ୍‌ବିବିଏସ୍ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ହ୍ୱାଇଟ୍ କୋଟ ଉତ୍ସବରେ ୨୫୦ଜଣ ଛାତ୍ରଛାତ୍ରୀ ମହର୍ଷି ଚରକଙ୍କ ଶପଥ ନେବା ସହ ମୂଲ୍ୟବୋଧ ଭିତ୍ତିକ ଚିକିତ୍ସା କରିବା ନିମନ୍ତେ ଶପଥ ନେଇଥିଲେ । ଓରିଏଣ୍ଟେସନ୍ କମ୍ ଫାଉଣ୍ଡେସନ୍ କୋର୍ସ ପ୍ରୋଗ୍ରାମ୍‌ରେ ସୋଆ କୂଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନ୍ ରାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆରଏଫ୍‌) ରାଙ୍କିଙ୍ଗସ ୨୦୨୫ରେ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଥିବାବେଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ୨୧ତମ ଶ୍ରେଷ୍ଠ ମେଡ଼ିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି । ଏଭଳି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ନିମନ୍ତେ ଚୟନ କରିଥିବାରୁ ସେ ଉଭୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଡାକ୍ତରୀ ଶିକ୍ଷାକୁ ଏକ ମହାନ ବୃତ୍ତି ଭାବେ ବର୍ଣ୍ଣନା କରି ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଲାଭ କରିବା ସହିତ ସମାଜ ଓ ରୋଗୀଙ୍କ ପ୍ରତି ଦୟାଳୁ ମନୋଭାବ ସହ ଉତ୍ତମ ଡାକ୍ତର ହେବା ପାଇଁ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡାକ୍ତରୀ ବୃତ୍ତିକୁ କେବଳ ପେସା ଭାବେ ଗ୍ରହଣ ନ କରି ଛାତ୍ରଛାତ୍ରୀମାନେ ସେବା ମନୋଭାବ ରଖି ଏହା ଅଧ୍ୟୟନ କରିବା ଉଚିତ୍ ବୋଲି କହିଥିଲେ । ଆଧ୍ୟାତ୍ମିକ ଚିନ୍ତନ ଦ୍ୱାରା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ହୋଇଥାଏ । କଠିନ ପରିଶ୍ରମ, ସମୟାନୁବର୍ତ୍ତିତା ଓ ସକାରାତ୍ମକ ଚିନ୍ତାଧାରା ଆଦି ଗୁଣ ସବୁ ଛାତ୍ରଛାତ୍ରୀଙ୍କଠାରେ ରହିବା ଉଚିତ୍ ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

ଏହି କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସ୍ୱାଗତ ଭାଷଣ ଦେବା ସହିତ ଶିକ୍ଷାନୁଷ୍ଠାନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଡାକ୍ତରୀ ଶିକ୍ଷାର ମହତ୍ୱ ବିଷୟରେ ମଧ୍ୟ ସେ ବୁଝାଇଥିଲେ । ସେହିପରି ମେଡିକାଲ୍ ସୁପରିଣ୍ଟେଣ୍ଡାଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସର୍ବଦା ସେବା ମନୋଭାବ ନେଇ ରୋଗୀଙ୍କ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ । ଫାଉଣ୍ଡେସନ୍ କୋର୍ସ କୋଅର୍ଡିନେଟର ତଥା ଫିଜିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଏଲୋରା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ହ୍ୱାଇଟ କୋଟ୍ ଉତ୍ସବରେ ସୋଆ ଉପସଭାପତି ଶାଶ୍ୱତୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରତି ଛାତ୍ରଛାତ୍ରୀଙ୍କ ଭିତରେ ନିଃସ୍ୱାର୍ଥପର ସେବା, କରୁଣା ଓ ସମର୍ପଣ ମନୋଭାବ ରହିବା ଉଚିତ୍ ବୋଲି ମତ ରଖି ସେ କହିଥିଲେ ଯେ, ଏହି ହ୍ୱାଇଟ କୋଟ୍  ଉତ୍ସବ ସେମାନଙ୍କ ଏହି ଯାତ୍ରାର ଆରମ୍ଭ ନୁହେଁ ମାତ୍ର ଏହା ମନୁଷ୍ୟ ସମାଜର ସେବା କରିବା ନିମନ୍ତେ ଏକ ପ୍ରତିବଦ୍ଧତା । ଏହି କୋଟ ପରିଧାନ କରିବା ପରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ରହିଛି ସେ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଏହା କେବଳ ଏକ କୋଟ ନୁହେଁ ବରଂ ପ୍ରତି ଡାକ୍ତରର ପ୍ରଥମ ପରିଚୟ ଅଟେ ବୋଲି କହିଥିଲେ । ଏହାକୁ ପିନ୍ଧି ପ୍ରତ୍ୟେକ ଡାକ୍ତରୀ ଛାତ୍ରଛାତ୍ରୀ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ ହସ୍ପିଟାଲର ସମସ୍ତ ବିଭାଗୀୟ ମୁଖ୍ୟ, ସିନିୟର ଫ୍ୟାକଲ୍ଟି, ଆଡ଼ିସ୍‌ନାଲ୍ ଡିନ୍‌, ଡାକ୍ତର, ନର୍ସ ଛାତ୍ରଛାତ୍ରୀଙ୍କର ଅଭିଭାବକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।