କଟକ ୨୮/୧୦: ପାରାଦୀପ ବନ୍ଦରରେ ଥିବା ଏକ  ଜାହାଜ ଏମ୍‌.ଭି. ମ୍ୟାଗ୍‌ନେଟ୍‌ ଟିମ୍‌କୁ ଗିରଫ କରିବା ପାଇଁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଜାହାଜ  ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ଟଙ୍କା ବକେୟା ରହିଛି । ଏହି  ଟଙ୍କା ନଦେବାରୁ ସିଲକ୍‌ ରୋଡ୍‌ ସିପିଂ ଆଣ୍ଡ ଚାର୍ଟରିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟର ବିଚାରପତି ତଥା ଆଡ୍‌ମିରାଲିଟି  ଜଷ୍ଟିସ୍‌ ଭି. ନରସିଂହ ମାମଲାର  ତ୍ୱରିତ ବିଚାର କରି ଜାହାଜକୁ ଗିରଫ  ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜାହାଜର ମାଲିକଙ୍କୁ ମଧ୍ୟ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଡିସେମ୍ବର ପହିଲାରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଆବେଦନକାରୀ ସଂସ୍ଥା ପକ୍ଷରୁ  ହାଇକୋର୍ଟରେ ଏହି ମାମଲା ରୁଜୁ  କରାଯାଇ ଜାହାଜ ଉପରେ ୨କୋଟି  ଟଙ୍କା ବକେୟା ଥିବା ଦର୍ଶାଯାଇଥିଲା ।  ଯଦି ଜାହାଜକୁ ତୁରନ୍ତ ଗିରଫ  କରାନଯାଏ ତାହେଲେ ଜାହାଜ  ଆଜି ପାରାଦୀପ ବନ୍ଦର ଛାଡ଼ିଦେବାର  ସମ୍ଭାବନା ରହିଛି । ହାଇକୋର୍ଟ ଏହି  ମାମଲାକୁ ବିଚାର ପାଇଁ ଗ୍ରହଣ କରି  ଆବେଦନକାରୀଙ୍କ ଅଭିଯୋଗର  ପ୍ରାଥମିକ ପ୍ରମାଣ ଥିବା ଜାଣିବାକୁ  ପାଇଥିଲେ । ଯଦି ଆଜି ଜାହାଜକୁ  ଗିରଫ ପାଇଁ ନିର୍ଦ୍ଦେଶ ଦିଆନଯାଏ  ତେବେ ଆବେଦନକାରୀ ରୁଜୁ  କରିଥିବା ମାମଲାର ପ୍ରକୃତ ଉଦ୍ଦେଶ୍ୟ  ସାଧିତ ହେବନାହିଁ । ତେଣୁ ତୁରନ୍ତ  ପାରାଦୀପ ବନ୍ଦରରେ ଜାହାଜକୁ  ଗିରଫ କରିବା ପାଇଁ ହାଇକୋର୍ଟ  ଅନ୍ତରୀଣ ଆଦେଶରେ ନିର୍ଦ୍ଦେଶ  ଦେଇଥିଲେ । ତେବେ ଜାହାଜରେ ଯଦି କୌଣସି ସାମଗ୍ରୀ ଥାଏ ତାହେଲେ ଏହାକୁ ଅନ୍‌ଲୋଡ୍‌ କରିବାରେ ଏହି ମାମଲା କୌଣସି ଅନ୍ତରାୟ ସୃଷ୍ଟି କରିବନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅଦାଲତଙ୍କ ଏହି ଆଦେଶ କପିକୁ ଆବେଦନକାରୀ ପ୍ରତିପକ୍ଷଙ୍କୁ ଫ୍ୟାକ୍ସ, ଇ-ମେଲ୍‌ କିମ୍ବା ନିଜେ ଯାଇ ପ୍ରଦାନ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।