ନୂଆଦିଲ୍ଲୀ: ୨୦୨୫ ଏସିଆ କପର ସୁପର ୪ ରାଉଣ୍ଡରେ ପାକିସ୍ତାନ ନିଜର ପ୍ରଥମ ବିଜୟ ହାସଲ କରିଛି। ମଙ୍ଗଳବାର ଦଳ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ପାକିସ୍ତାନର ଫାଇନାଲରେ ପହଞ୍ଚିବାର ଆଶାକୁ ଉଜ୍ଜୀବିତ ରଖିଛି। ଅନ୍ୟପଟେ ଶ୍ରୀଲଙ୍କା ପ୍ରାୟତଃ ମ୍ୟାଚରୁ ବାହାର ହୋଇଯାଇଛି।

ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଜାରି ରହିଥିବା ଏହି ମ୍ୟାଚରେ, ପାକିସ୍ତାନୀ ଦଳ ୧୮ ଓଭର ସୁଦ୍ଧା ୫ ୱିକେଟ ବିନିମୟରେ ୧୩୪ ରନର ଲକ୍ଷ୍ୟକୁ ହାସଲ କରିନେଇଥିଲା। ତଲତ ହୁସେନ ୩୨ ଏବଂ ମହମ୍ମଦ ନୱାଜ ୩୮ ରନ ସହ ଅପରାଜିତ ରହିଥିଲେ। ଦୁହେଁ ୪୧ ବଲରେ ଷଷ୍ଠ ୱିକେଟ ପାଇଁ ଗୁରୁତ୍ୱପୂର୍ଣ୍ଣ ୫୮ ରନର ଭାଗୀଦାରି ଖେଳିଥିଲେ। ଓପନର ସାହିବଜାଦା ଫରହାନ ୨୪ ରନ କରିଥିଲେ।

ଟସ୍ ହାରି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ୨୦ ଓଭର ସୁଦ୍ଧା ୮ ୱିକେଟ ହରାଇ ୧୩୩ ରନ ହାସଲ କରିଥିଲା। କାମିନ୍ଦୁ ମେଣ୍ଡିସ୍ ୪୪ ବଲରେ ୫୦ ରନ କରିଥିଲେ। ଅଧିନାୟକ ଚାରିଥ୍ ଅସଲାଙ୍କା ୨୦ ରନ କରିଥିଲେ। କୁସଲ ପେରେରା ଏବଂ ୱାନିନ୍ଦୁ ହସରଙ୍ଗା ପ୍ରତ୍ୟେକ ୧୫ ରନ ଲେଖାଏଁ ଯୋଡ଼ିଥିଲେ। ପାକିସ୍ତାନ ପାଇଁ ଶାହିନ ଶାହ ଆଫ୍ରିଦି ୩ ୱିକେଟ ନେଇଥିଲେ। ସେହିଭଳି ହାରିସ ରଉଫ ଏବଂ ତଲତ ହୁସେନ ୨ଟି ଲେଖାଏଁ ୱିକେଟ ନେଇଥିଲେ।