ନୂଆଦିଲ୍ଲୀ: ଏସିଆ କପକୁ ନେଇ ପାକିସ୍ତାନ କ୍ରିକେଟ ଜଗତରେ ବିବାଦ ଘନେଇବାରେ ଲାଗିଛି। ହ୍ୟାଣ୍ଡସେକ ମାମଲାଠୁ ଆରମ୍ଭ କରି ଟ୍ରଫି ନନେବା ବିବାଦ ପାଇଁ ପୂର୍ବତନ ଅଲ୍-ରାଉଣ୍ଡର ତଥା ଟ୍ୱେନ୍ଟି୨୦ ବିଶ୍ୱକପ୍ ବିଜୟୀ ଶାହିଦ ଆଫ୍ରିଦୀ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ନାକଭିଙ୍କୁ ଇସ୍ତଫା କରିବାକୁ ଆହ୍ୱାନ କରିଛନ୍ତି। ଚଳିତ ଏସିଆ କପ୍ ଟୁର୍ନାମେଣ୍ଟରେ ପାକିସ୍ତାନର ନିରାଶାଜନକ ପ୍ରଦର୍ଶନ ଓ ବିବାଦୀ ଘଟଣାମାନଙ୍କ ପରେ ପାକିସ୍ତାନରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି।
ନାକଭିଙ୍କ ଇସ୍ତଫା ଦାବି କରି ଆଫ୍ରିଦୀ କହିଛନ୍ତି ଯେ ଜଣଙ୍କୁ ପିସିବି ଅଧ୍ୟକ୍ଷ ପଦବୀ ସହିତ ପାକିସ୍ତାନର ଅନ୍ତରାଣ ମନ୍ତ୍ରୀ ଭାବେ କାମ କରିବା ଅସମ୍ଭବ। ଏମିତିରେ ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି, ତେଣୁ ଏହାକୁ ପୂର୍ଣ୍ଣ ସମୟ ଦେବା ଆବଶ୍ୟକ। ସେ ପୂର୍ବରୁ ଚାମ୍ପିୟନ୍ସ୍ ଟ୍ରଫି ପରେ ମଧ୍ୟ ଏହି ନାକଭିଙ୍କ ପାଇଁ ଏହି ସମାନ ପରାମର୍ଶ ଦେଇଥିଲେ।
ଏହାସହ ଆଫ୍ରିଦୀ ଅଭିଯୋଗ କରିଛନ୍ତି ଯେ ନାକଭିଙ୍କୁ କ୍ରିକେଟ୍ ବିଷୟରେ ଭଲ ଜ୍ଞାନ ନାହିଁ ଓ ସେ ଖରାପ ପରାମର୍ଶଦାତାମାନଙ୍କୁ ଘେରି ରହିଛନ୍ତି। ପିସିବି ଓ ଅନ୍ତରୀଣ ମନ୍ତ୍ରଣାଳୟ ଦୁଇଟି ସ୍ୱତନ୍ତ୍ର ସଂସ୍ଥା। ଯାହାକୁ ଆଲଗା ଅଲଗା ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଆପଣଙ୍କୁ ଜଣାଇରଖୁ ଯେ, ନାକଭି ବର୍ତ୍ତମାନ ପିସିବିର ଅଧ୍ୟକ୍ଷ ପଦ ସହ ଶେହବାଜ ସରିଫଙ୍କ ସରକାରରେ ଅନ୍ତରୀଣ ମନ୍ତ୍ରୀ ଭାବେ ନିଜର ଦାୟିତ୍ତ୍ୱ ନିର୍ବାହ କରୁଛନ୍ତି। ନାକଭି, ଅସୀମ ମୁନିରଙ୍କ ପାଖ ଲୋକ ହୋଇଥିବାରୁ ତାଙ୍କୁ ଏହି ଦୁଇ ବଡ ପଦବି ମିଳିଛି ବୋଲି ପାକିସ୍ତାନର ସ୍ଥାନିୟ ଗଣମାଧ୍ୟମ ଖବର ପ୍ରକାଶ କରିଛି। ଏହି ଦୁଇ ପ୍ରମୁଖ ଦାୟିତ୍ତ୍ୱ ସହ ସେ ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ (ଏସିସି)ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଯାହା ତାଙ୍କର ବହୁକାର୍ଯ୍ୟକଳାପକୁ ଆହୁରି ବ୍ୟପକ କରିଛି।
ସୂଚନା ମୁତାବକ, ଚଳିତ ବର୍ଷର ଏସିଆ କପ୍ ପୂର୍ଣ୍ଣ ବିବାଦ କେନ୍ଦ୍ରବିନ୍ଦୁ ପାଲଟିଥିଲା। ପାକିସ୍ତାନ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ବିରୋଧରେ ତିନୋଟି ମ୍ୟାଚ୍ ହାରିଥିଲା। ଯେଉଁଥିପାଇଁ ପାକିସ୍ତାନର ଲୋକମାନେ ନିଜ କ୍ରିକେଟ ଦଳ ପ୍ରତି ଘୋର ଅସନ୍ତୋଷ ଜାହିର କରିଥିଲେ। ଏହାଛଡା ଗ୍ରୁପ୍ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନି ଖେଳାଳିମାନଙ୍କ ସହ ହାତ ମିଶାଇବାକୁ ଅସ୍ୱୀକାର କରିଥିଲେ। ଯାହାକୁ ନେଇ ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ବୟକଟ କରିବାର ଧମକ ଦେଇଥିଲା। ଯାହା ଫଳରେ ୟୁଏଇ ବିରୋଧରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍ ପ୍ରାୟ ଏକ ଘଣ୍ଟା ବିଳମ୍ବିତ ହୋଇଥିଲା। ଯାହାକୁ ନେଇ ଜନ ଅସନ୍ତୋଷ ଆହୁରି ବଢିଥିଲା।
ଏ ସମସ୍ତ ଘଟଣା ପରେ ନାକଭୀଙ୍କ ପାଇଁ ପାସିସ୍ତାନରେ ଉତ୍ତେଜନା ବଢୁଥିବାରୁ ନାକଭୀ ଏକ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ୍ ସେୟାର କରିଥିଲେ। ଯେଉଁଥିରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ସୈନ୍ୟ ସଂଘର୍ଷକୁ ଇଂଗିତ ଥିଲା। ଯାହାକୁ ନେଇ ଭାରତରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଅନେକ ଭାରତୀୟ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ।
ଯାହାଫଳରେ ଫାଇନାଲ୍ରେ ଟିମ୍ ଇଣ୍ଡିଆ ନାକଭୀଙ୍କ ନିକଟରୁ ଟ୍ରଫି ଗ୍ରହଣ କରିବାକୁ ଅସ୍ୱୀକାର କରିଥିଲା। ଏସିସି ଅଧ୍ୟକ୍ଷ ଭାବେ ନାକଭୀ ଟ୍ରଫି ପ୍ରଦାନ ନକରି, ଟ୍ରଫି ଓ ମେଡାଲ୍ଗୁଡ଼ିକୁ ପୋଡିୟମ୍ରୁ ଫେରାଇଦେଇଥିଲେ। ଏହାକୁ ନେଇ ନାକଭୀ କହିଥିଲେ ଯେ ଭାରତୀୟ ଦଳର କ୍ୟାପ୍ଟେନ୍ ସୁର୍ଯ୍ୟକୁମାର ଯାଦବଙ୍କୁ ଦୁବାଇରେ ଥିବା ଏସିସି ହେଡକ୍ୱାର୍ଟର୍ରେ ଆସି ଟ୍ରଫି ନେବାକୁ ପଡ଼ିବ। ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ପରେ ସେ ନିଜର ଆଚରଣ ପାଇଁ କ୍ଷମା ମାଗିଥିଲେ, କିନ୍ତୁ ନିଜର ଅବସ୍ଥାନରେ ଅଟଳ ରହିଥିଲେ।
ଗତ ସେପ୍ଟେମ୍ବର ୩୦ ତାରିଖରେ ହୋଇଥିବା ଏସିସି ବୈଠକରେ ବିସିସିଆଇ ଅଧିକାରୀ ତଥା ସହ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, ନାକଭୀଙ୍କ ଏପରି ଆଚରଣର ତୀବ୍ର ନିନ୍ଦା କରିଥିଲେ। ଏହାସହ ବିସିସିଆଇ ନାକଭୀଙ୍କ ବିରୋଧରେ ଆଧିକାରିକ ସ୍ତରରେ ଅଭିଯୋଗ କରିବାକୁ ମଧ୍ୟ ବିଚାର କରୁଛି।
ପାକିସ୍ତାନ କ୍ରିକେଟରଙ୍କ ମଧ୍ୟରେ ନାକଭୀଙ୍କ ବିରୋଧରେ ଅସନ୍ତୋଷ ବଢ଼ୁଛି। ଏନେଇ ଆଫ୍ରିଦୀ କହିଛନ୍ତି ଯେ, "ନାକଭୀଙ୍କୁ କ୍ରିକେଟ ଜାଣିଥିବା ଜଣେ ଭଲ ପରାମର୍ଶଦାତାମାନଙ୍କୁ ରଖିବା ଉଚିତ୍। ସେ ଅନଭିଜ୍ଞ ପରାମର୍ଶଦାତାମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି, ଯାହା ତାଙ୍କୁ ବିବାଧ ମଧ୍ୟକୁ ଠେଲି ଦେଉଛି।"