ନମୌଜା,୧୬/୧୦ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଆଳି ବ୍ଲକ ପାଳିମୀ ପଞ୍ଚାୟତସ୍ଥିତ ଗଣେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟରେ ଦୈନନ୍ଦିନ ଭଳି ଆଜି ମଧ୍ୟ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ଆସିଥିଲେ l ପାଠ ପଢା ଚାଲିଥିବା ସମୟରେ ହଠାତ ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର ଖସିବାକୁ ଲାଗିଥିଲା l ଏହା ଦେଖି ଶ୍ରେଣୀଗୃହରେ ପାଠ ପଢ଼ାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ମଲିକ ଦଉଡ଼ି ଯାଇ ପିଲାମାନଙ୍କୁ ଟାଣି ଶ୍ରେଣୀଗୃହ ବାହାରକୁ ନେଇ ଆସିଥିଲେ l ଦେଖୁ ଦେଖୁ ଗୋଟେ ପଟ ଛାତରୁ ପ୍ଲାଷ୍ଟର ସମ୍ପୂର୍ଣ ଖସି ପଡ଼ିଥିଲା l ପ୍ଲାଷ୍ଟର ଖସିବାର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ କୁନି କୁନି ପିଲାମାନେ ଚିତ୍କାର କରି ବିଦ୍ୟାଳୟ ବାହାରକୁ ଦଉଡ଼ିବାକୁ ଲାଗିଥିଲେ l

ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟରେ ଶିଶୁବାଟିକାଠାରୁ ଆରମ୍ଭ ହୋଇ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀରେ ୪୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି l ପ୍ଲାଷ୍ଟର ଖସିଥିବା ଶ୍ରେଣୀଗୃହରେ ଘଟଣା ଘଟିବା ସମୟରେ ଚତୁର୍ଥ ଓ ପଞ୍ଚମ ଉଭୟ ଶ୍ରେଣୀର ମୋଟ ୧୩ଜଣ ପିଲା ପାଠ ପଢୁଥିଲେ l ଏହି ବିଦ୍ୟାଳୟଟି ୧୯୬୩ମସିହାରେ ସ୍ଥାପିତ ହେବା ପରଠାରୁ ଆଖପାଖ ଅଞ୍ଚଳରୁ ଶତାଧିକ ପିଲା ଏହି ବିଦ୍ୟାଳୟରେ ପାଠ ପଡ଼ିବାକୁ ଆସନ୍ତି l ଆଜିର ଘଟଣା ପରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକମାନଙ୍କ ମନରେ ଛନକା ପସିଯାଇଛି l ଆଜିର ଅଘଟଣ ପରେ କିଛି ଗ୍ରାମବାସୀ ଓ ଅଭିଭାବକମାନେ ପହଞ୍ଚି ସେଠାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଭିଭାବକମାନେ ପିଲାମାନଙ୍କୁ ସାଙ୍ଗରେ ଘରକୁ ନେଇ ଆସିଥିଲେ l ଏ ନେଇ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କ ପାଖରେ କ୍ଷୋଭ ପ୍ରକାଶ କରିବା ସହ ଯଦି ବିଦ୍ୟାଳୟ ର ମରାମତି ନ କରାଯାଏ ତେବେ ସେମାନେ ପିଲାମାନଙ୍କୁ ବିଦ୍ୟାଳୟ ସେ ପର୍ଯ୍ୟନ୍ତ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି l

ଆହୁରି ମଧ୍ୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ ବିଦ୍ୟାଳୟର ପ୍ଲାଷ୍ଟର ଖସିଥିବା ସ୍ଥାନ ମରାମତି ହେବାର ଏକ ବର୍ଷ ନ ପୂରୁଣୁ ଏଭଳି ଅଘଟଣ ପାଇଁ କେବଳ ନିମ୍ନମାନର କାମ ଏବଂ ପ୍ରଶାସନର ଅବହେଳା ବୋଲି ଦର୍ଶାଇଛନ୍ତି l ଯଦି ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଗ୍ରାମବାସୀ ଓ ଅଭିଭାବକମାନେ ସାମୁହିକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l ଏ ନେଇ ଆଳି ବ୍ଲକରେ ନୂଆ ଭାବେ ଯୋଗଦେଇଥିବା ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ବେହୁରାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉକ୍ତ ଘଟଣାକୁ ତଦାରଖ କରିବେ l ତତସହିତ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ l