ଭୁବନେଶ୍ୱର,୩୧/୧୦: ରାସ୍ତା  ନିର୍ମାଣ ସମୟରେ ନିର୍ମାଣ ଖର୍ଚ୍ଚର ଅତିରିକ୍ତ  ୧% ଅର୍ଥରାଶିରେ ଗଛ ଲଗାଇବେ ସରକାର ।  ଏହି ଅର୍ଥକୁ ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣ  ବାବଦରେ ଖର୍ଚ୍ଚ କରାଯିବ । ଏହି ଏସ୍‌ଓପି  ଆଣିଛି ପୂର୍ତ୍ତ ବିଭାଗ ।

ଏସ୍‌ଓପି ଅନୁସାରେ, ଗ୍ରୀନ୍‌ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟ ନେଇ ସବୁ  ରାସ୍ତାକଡ଼ରେ ବୃକ୍ଷରୋପଣ କରାଯିବ । ଏହା  ଅଙ୍ଗାରକାମ୍ଲ ଅବଶୋଷଣ କରିବା ସହ ଅମ୍ଳଜାନ  ସ୍ତର ବଢ଼ାଇବ । ଏହା ବାୟୁ ପ୍ରଦୂଷଣକୁ ମଧ୍ୟ  କମାଇବ । ଏହି ବୃକ୍ଷରୋପଣ ଶବ୍ଦ ପ୍ରଦୂଷଣକୁ  କମ୍‌ କରିବା ସହ ମୃତ୍ତିକା କ୍ଷୟକୁ ରୋକିବା  ଏବଂ ବାୟୁର ମାନକ ବୃଦ୍ଧି କରିବା ସହ  ଖରାଦିନେ ଆଖପାଖ ଅଞ୍ଚଳରେ ଶୀତଳତା  ସୃଷ୍ଟିରେ ସହାୟକ ହେବ ବୋଲି ବିଭାଗ  ପକ୍ଷରୁ କୁହାଯାଇଛି ।

ପୂର୍ତ୍ତ ବିଭାଗ ଅଧୀନରେ ନୂଆ କରି ହେବାକୁ ଥିବା ରାଜପଥ, ଜିଲ୍ଲା  ମୁଖ୍ୟ ସଡ଼କ, ଅନ୍ୟ ସମସ୍ତ ସଡ଼କ ନିର୍ମାଣ  ସମୟରେ ବୃକ୍ଷରୋପଣକୁ ବାଧ୍ୟତାମୂଳକ  କରାଯିବା ନେଇ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ  ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭାଗ  ପକ୍ଷରୁ ନିର୍ମାଣ ହେବାକୁ ଥିବା ରାସ୍ତାର ଉଭୟ  ପାଶ୍ୱର୍ ଏବଂ ଡିଭାଇଡର ମଝିରେ ଥିବା ଖାଲି  ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରାଯିବା  ନେଇ ଇଆଇସି (ସିଭିଲ୍‌ ତଥା ରୋଡସ୍‌)ଇଆଇସି (ଏନ୍‌ଏଚ୍‌), ଓବିସିସି ଏମ୍‌ଡିଙ୍କୁ ଚିଠି  ଜରିଆରେ ଅବଗତ କରାଯାଇଛି । ସେହିଭଳି ରାସ୍ତା ନିର୍ମାଣ ହେବ ସ୍ଥାନରେ ସ୍କାନର ଲାଗାଯିବ​‌। ଯେଉଁଥିରେ ସ୍କାନର ଜରିଆରେ ଲୋକେ ରାସ୍ତାର ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ । ଠିକାଦାର ମାନଙ୍କ ସମସ୍ତ ତଥ୍ୟ ସେଥିରେ ରହିବ । କେଉଁ ଠିକାଦାର ସଂସ୍ଥା କେତେ ଦିନ ଭିତରେ ରାସ୍ତା କାମ କରିଛନ୍ତି ତାହାର ବ୍ୟୟ ବରାଦ କେତେ ଥିଲା ସବୁ ତଥ୍ୟ ସ୍କାନର ଜରିଆରେ ମିଳିବ ।

ଏବେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ  ପ୍ରଦୂଷଣ ବିଶ୍ୱରେ ଏକ ମୁଖ୍ୟ ସମସ୍ୟା  ପାଲଟିଛି । ଦ୍ରୁତ ସହରୀକରଣ ଓ ଜଙ୍ଗଲ ହ୍ରାସ  ଯୋଗୁ ଏହାର କୁପ୍ରଭାବ ସାରା ମାନବ ସମାଜ ଓ  ଜୀବଜଗତ ଉପରେ ପଡୁଛି । ଏହି ସମସ୍ୟାର  ମୁକାବିଲା କରିବା ଓ ରାଜ୍ୟକୁ ପରିବେଶ  ଅନୁକୂଳ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ରାଜ୍ୟ  ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ପରିବେଶ  ସନ୍ତୁଳନ ରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ  ଏହି ଯୁଗାନ୍ତକାରୀ ପଦକ୍ଷେପ ଏକ ମାଇଲଖୁଣ୍ଟ  ସାବ୍ୟସ୍ତ ହେବ । ପୂରା ଦେଶରେ ଓଡ଼ିଶା ଏକ  ଅଗ୍ରଣୀ ରାଜ୍ୟରେ ପରିଣତ ହେବ ବୋଲି ମନ୍ତ୍ରୀ  ଶ୍ରୀ ହରିଚନ୍ଦନ କହିଛନ୍ତି ।