ରାୟଗଡ଼ା, ୧୨/୯: ରାୟଗଡ଼ା ସହରର ଗାନ୍ଧୀ ନଗର ଛକରେ ଥିବା ମାର୍କଫେଡ୍ ଗୋଦାମ ଭିତରେ ଆଜି ବର୍ଷା ପାଣି ପଶିଯିବାରୁ ପ୍ରାୟ ଏକ ହଜାରରୁ ଅଧିକ ବସ୍ତା ସାର ନଷ୍ଟ ହୋଇଯାଇଛି। ୟୁରିଆ, ପଟାସ୍, ଡିଏପି ଭଳି ସାର ନଷ୍ଟ ହୋଇଥିବା ନଜରକୁ ଆସିଛି। ଗୋଟିଏ ପଟେ ଚାଷୀଙ୍କ ପାଇଁ ସାରର ଘୋର ଅଭାବ ଲାଗିରହିଛି। ଅନ୍ୟପଟେ ଆଜି ବର୍ଷାରେ ବିପୁଳ ପରିମାଣର ସାର ଓଦା ହୋଇ ନଷ୍ଟ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ରାୟଗଡ଼ା ସହରରେ ପ୍ରବଳ ବର୍ଷା ହୋଇଥିଲା। ଦୀର୍ଘ ଅଢ଼େଇ ଘଣ୍ଟା ଧରି ବର୍ଷା ହେବା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମାର୍କଫେଡ୍ ଗୋଦାମ ଛାତ ଉପରେ ବାଟେ ପ୍ରଥମେ ପାଣି ଗୋଦାମ ଭିତରକୁ ପଶିଥିଲା। ଏହାପରେ ରାସ୍ତା ଓ ଗୋଦାମ ପଛପଟ ଭେଣ୍ଡିଂଜୋନ ଭିତରୁ ଜଳ ପ୍ରବାହିତ ହୋଇ ଗୋଦାମ ଭିତରେ ଧଶେଇ ପଶିଥିଲା। ପରିସ୍ଥିତି ଏହିଭଳି ହେଲା ଯେ, ମାର୍କଫେଡ୍ ଅଫିସ ଭିତରେ ମଧ୍ୟ ବର୍ଷା ପାଣି ପ୍ରବେଶ କଲା।
ଦୀର୍ଘ ସମୟ ଧରି ବର୍ଷା ଯୋଗୁଁ ପ୍ରାୟ ୪ ଫୁଟ ଉଚ୍ଚତାରେ ପାଣି ଗୋଦାମ ଭିତରେ ଜମା ହୋଇଗଲା। ଏତେ ପରିମାଣର ସାର ରହିଥିବା ଓ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା ନଥିବାରୁ ସମସ୍ତ ସାର ଓଦା ହୋଇ ନଷ୍ଟ ହୋଇଥିବା ସୂଚନା ମିଳିଛି। ମାର୍କଫେଡ୍ ପରିଚାଳକ ରଶ୍ମି ରୟ କହିଛନ୍ତି ଯେ, ଗୋଦାମ ଭିତରେ ବର୍ତମାନ ମଧ୍ୟ ଜଳ ଜମାଟ ବାନ୍ଧି ରହିଛି। ପାଣି ନିଷ୍କାସନ ପରେ କେତେ ପରିମାଣର ସାର ନଷ୍ଟ ହୋଇଛି ଜଣାପଡିବ।