ଢେଙ୍କାନାଳ, ୨୯/୧୦ : ବାତ୍ୟା "ମୋନ୍‌ଥା' ପ୍ରଭାବରେ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ମଙ୍ଗଳବାର ବର୍ଷା ହୋଇଛି । ଦିନତମାମ ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିବା ସହ ମଧ୍ୟମଧରଣର ବର୍ଷା ହୋଇଥିଲା । ପବନର ତୀବ୍ରତା ଆଦୌ ନଥିଲାବେଳେ ବୁଧବାର ଅଧିକ ବର୍ଷା ସମ୍ଭାବନା ଥିବାରୁ ଢେଙ୍କାନାଳ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଅଧିକ ବର୍ଷା ଓ ପବନ ହେଲେ ଧାନ ଫସଲ କ୍ଷତି ଘଟାଇବା ଆଶଙ୍କାରେ ଚାଷୀକୁଳ ଚିନ୍ତାରେ ରହିଛନ୍ତି । ଚଳିତବର୍ଷ ଧାନଫସଲ ଭଲ ହୋଇଛି । ଅନେକ ସମସ୍ୟା ଭିତରେ ଚାଷୀ କ୍ଷେତରେ ଧାନ ଚାଷ କରିଥିବାବେଳେ ବାତ୍ୟା ପ୍ରଭାବରେ ବର୍ଷା ହେଲେ ଫସଲ କ୍ଷତି ଘଟିବା ଆଶଙ୍କା ରହିଛି । କେତେକ ସ୍ଥାନରେ ପାଚିଲା ଧାନକୁ ଚାଷୀ ତରବର ହୋଇ କାଟି ଆଣୁଥିବା ମଧ୍ୟ ଦେଖିବାକୁ ମିଳୁଛି । 

ଢେଙ୍କାନାଳ ଜିଲ୍ଲାକୁ ବାତ୍ୟାର ପ୍ରଭାବ ନଥିବା ବେଳେ ଏହାର ପ୍ରଭାବରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ବର୍ଷା ହେଲେ ଫସଲ ସୁରକ୍ଷା ପାଇଁ ପ୍ରଶାସନ ସଜାଗ ରହିଛି। ଆସନ୍ତା ୩୧ ତାରିଖ ଯାଏଁ କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷାର ସଫଳ ମୁକାବିଲା କରିବା ପାଇଁ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ବର୍ଷା ହେଲେ କ୍ଷେତରେ ଫସଲକୁ କିପରି ସୁରକ୍ଷା ଦିଆଯାଇପାରିବ ଓ କ୍ଷତିଗ୍ରସ୍ତ ଚାଷୀ ଉପଯୁକ୍ତ କ୍ଷତିପୂରଣ ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା "ମୋନ୍‌ଥା' ପ୍ରଭାବରେ ଢେଙ୍କାନାଳ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ବର୍ଷା କିମ୍ବା ପବନ ହେଲେ ଏହାର ପ୍ରଭାବରେ ପାଚିଲା ଧାନଗଛ ବିଲରେ ଲୋଟି ପଡି଼ବାର ଆଶଙ୍କା ରହିଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱନାଥ ଦାସଙ୍କ ସୂଚନା ଅନୁସାରେ, ଜିଲ୍ଲାରେ ଚଳିତବର୍ଷ ୯୬ ହଜାର ୨୪୦ ହେକ୍ଟର ଧାନ ଚାଷ ହୋଇଛି । ସବୁଆଡ଼େ ଭଳ ଧାନ ଚାଷ ହୋଇଥିବାରୁ ଅମଳ ମଧ୍ୟ ଭଲ ହେବ । ପାଚିବା ଅବସ୍ଥାକୁ ଧାନ ଆସିନାହିଁ । ମଙ୍ଗଳବାର ଆଖିଦୃଶିଆ ବର୍ଷା ହୋଇନାହିଁ । ବର୍ଷା ହେଉଛି, ପୁଣି ଛାଡି଼ ଯାଉଛି । ରାତିରେ ବାତ୍ୟା ଲ୍ୟାଣ୍ଡ୍‌ଫଲ କଲା ପରେ କାଳେ ଅଧିକ ବର୍ଷା ହେବ ସେ ନେଇ ଆମେ ସଜାଗ ରହିଛୁ । ବର୍ଷା ଧାନ ଫସଲ ପାଇଁ ଲାଭଜନକ ହେବ । କିନ୍ତୁ ପବନକୁ ଅଧିକ ଭୟ ରହିଛି । ପବନ ହେଲେ ଯେଉଁ ଗଛରୁ ଧାନଥୋଡ଼ ବାହାରିଛି କିମ୍ବା ପାଚିଲା ଅବସ୍ଥାକୁ ଆସିଯାଇଛି ତାହା ବିଲରେ ଲୋଟି ପଡି଼ବ । ଧାନ ସବୁ ଅଗାଡି଼ ହୋଇଯିବ । ଏଥିପାଇଁ ଆମେ ସମ୍ପୂର୍ଣ୍ଣ ସଜାଗ ରହିଛୁ । 

ସେପଟେ ଆସନ୍ତା ୩୧ ତାରିଖ ଯାଏଁ ଜିଲ୍ଲାର କୃଷି ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟିକୁ ବାତିଲ କରିଦିଆଯାଇଛି । କୃଷି ବିଭାଗ ଦ୍ୱାରା ଜାରି ହୋଇଥିବା ପରାମର୍ଶକୁ ପଞ୍ଚାୟତସ୍ତରରେ କାର୍ଯ୍ୟରତ କୃଷି କର୍ମଚାରୀଙ୍କ ଜରିଆରେ ଚାଷୀଙ୍କ ନିକଟକୁ ପହଞ୍ଚାଇ ଦିଆଯାଇଛି । ଅମଳକ୍ଷମ ଫସଲକୁ ଯଥାସମ୍ଭବ ସୁରକ୍ଷା ଦେବା, ଜମିରୁ ଜଳ ନଷ୍କାସନ, ଯଦି ଅଧିକ ବର୍ଷା ହୁଏ ତେବେ ବର୍ଷା ଛାଡି଼ଗଲା ପରେ କୃଷି ବିଭାଗୀୟ କର୍ମଚାରୀମାନେ ତୁରନ୍ତ ବିଲକୁ ଯାଇ ଫସଲ କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫସଲ ପ୍ରଭାବିତ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାରେ କେବଳ ଧାନ ନୁହେଁ ବିଭିନ୍ନ ସ୍ଥାନରେ ଶୀତଦିନିଆ ପନିପରିବା ଯଥା : କୋବି, କଲରା, ମୂଳା, ବାଇଗଣ, ପୋଟଳ, କାକୁଡି଼, ବିନ୍‌ସ ଆଦି ଚାଷ କରାଯାଇଛି । ଅଧିକ ବର୍ଷା ହେଲେ ଧାନ ସମେତ ପନିପରିବା ଚାଷ ପ୍ରଭାବିତ ଆଶଙ୍କାରେ ଚାଷୀ ମୁଣ୍ଡରେ ଚଡ଼କ ପଡି଼ଛି ।