ଭୁବନେଶ୍ବର ୧୭/୧୦ : ବହୁଚର୍ଚ୍ଚିତ ପୁଲିସ୍ ଏସ.ଆଇ ପରୀକ୍ଷା ସ୍କାମ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଏହି ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି ଯେ, କ୍ରାଇମ୍ ବ୍ରାଞ୍ଚ ଛୋଟ ଛୋଟ ଅପରାଧିଙ୍କୁ ଧରି କ୍ରେଡିଟ ନବାକୁ ଚାହୁଁଚି । କ୍ରାଇମ୍ ବ୍ରାଞ୍ଚ ଏହି ଘଟଣାରେ ଦୁଇ ଅଭିଯୁକ୍ତ ମୁନା ମହାନ୍ତି ଓ ରିଙ୍କୁ ମହାରଣାକୁ ଧରିଛନ୍ତି, ହେଲେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଧରି ପାରୁନି । ଏବେ ଶଙ୍କର ପୃଷ୍ଠିଙ୍କ ଦୁଇ ଆସୋସିଏଟଙ୍କୁ ଆରେଷ୍ଟ୍ କରିଛି କ୍ରାଇମ୍ ବ୍ରାଞ୍ଚ। ଘଟଣାକୁ ୨୫୦ କୋଟି ଟଙ୍କାର ଦୁର୍ନୀତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶା ପୋଲିସ ରିକ୍ରୁଟଟମେଣ୍ଟ ବୋର୍ଡ, ଗୃହ ବିଭାଗ ଅଧିନରେ ଏହି ପରୀକ୍ଷା ଆୟୋଜିତ ହେବାକୁ ଥିଲା । ପରେ ବିଭାଗ ପକ୍ଷରୁ ଜଣେ ସେଣ୍ଟ୍ରାଲ ପିଏସୟୁ ITI ଲିମିଟେଡକୁ ଏହି ଦାୟିତ୍ଵ ଦିଆଯାଇଥିଲା । ଏହା ପୂର୍ବରୁ ସଂପୃକ୍ତ ଅନୁଷ୍ଠାନ ବିରୁଦ୍ଧରେ ବହୁବାର ଅପରାଧିକ ମାମଲା ରହିଛି ବୋଲି କହିଛନ୍ତି ବିଜେଡି ନେତା । ଏହାପରେ ITI LIMETED ଭୁବନେଶ୍ୱର ଏବଂ ପରେ ସିଲିକନ୍ ଟେକଲ୍ୟାବ କୁ ଏହି ଦାୟିତ୍ଵ ଦିଆଯାଇଥିଲା, ଯାହା ଶଙ୍କର ପୃଷ୍ଠିଙ୍କ ନିଜ ଅନୁଷ୍ଠାନ। ମୁଖ୍ୟମନ୍ତ୍ରୀଙ୍କ ବିନା ଦସ୍ତଖତରେ ଗୃହ ବିଭାଗରୁ ଫାଇଲ ITI LIMETED କୁ କିଭଳି ଦିଆଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି । ଏହା ଏକ ବଡ଼ ଲୁଟ । ଲୋକଙ୍କ ଭବିଷ୍ୟତକୁ ଅନ୍ଧାର କରୁଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିରେ ଶାସକ ଦଳର ନେତା ସହ ଓଡ଼ିଶା ପୋଲିସର ବଡ଼ ବଡ଼ ଅଫିସର ଏହି ରାକେଟରେ ଅନ୍ତର୍ଭୁକ୍ତ ଥିବା ସେ ଅଭିଯୋଗ ଆଣିଛନ୍ତି । ମୂଳ ଅଭିଯୁକ୍ତଙ୍କୁ ଛାଡି ଛୋଟ ଛୋଟ ଦୋଷୀଙ୍କୁ ଧରି ଶ୍ରେୟ ନେବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଏହି ସ୍କାମ ବିଭିନ୍ନ ରାଜ୍ୟ ସହ ଯୋଡ଼ି ହୋଇ ରହିଛି । ଏହାକୁ ସିବିଆଇକୁ ଦେବା ପାଇଁ ଦାବି କରିଛି ବିଜେଡି । ଏହି ଘଟଣାରେ CMO ର ସିଧା ସଳଖ କୌଣସି ଲିଙ୍କ ଅଛି କି ନାହିଁ ତାହା ମୁଖ୍ୟମନ୍ତ୍ରୀ, ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେଡି । କ୍ରାଇମ୍ ବ୍ରାଞ୍ଚ ମିଛ ନାଟକ କରୁଛି ବୋଲି ଅଭିଯୋଗ ଆଣିଛି ବିଜେଡି ।