ପାରାଦୀପ, ୧୭/୯ : ପାରାଦୀପ ବନ୍ଦରରେ ଜାହାଜ ଗିରଫ। ମେଣ୍ଟେନାନ୍ସ ଟଙ୍କା ବକେୟା ପାଇଁ ଗିରଫ ହେଲା ଏମ୍‌ଭି ଡେନସା ଲାୟନ ଜାହାଜ। ଓ୍ବେପଏଣ୍ଟ ପୋର୍ଟ ସର୍ଭିସ୍ ଲିମିଟେଡର ୪୨ ଲକ୍ଷ ୭୨ ହଜାରରୁ ଉର୍ଦ୍ଧ୍ୱ ମେଣ୍ଟେନାନ୍ସ ଟଙ୍କା ଦେଇ ନପାରିବାରୁ ଜାହାଜକୁ ଗିରଫ କରାଯାଇଛି । ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜାହାଜ ଗିରଫ ହୋଇ ଆଙ୍କରେଜରେ ରହିବ। 

ସୂଚନାନୁଯାୟୀ, ଏମ୍‌ଭି ଡେନସା ଲାୟନ ଆଇରନ ପ୍ଲେଟ୍ ନେବା ପାଇଁ ପାରାଦୀପ ଆସିଛି । ବର୍ତ୍ତମାନ ଉକ୍ତ ଜାହାଜ ପିଆଇସିଟି ବର୍ଥରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଏହାକୁ ମିଶାଇ ୪ରୁ ଉର୍ଦ୍ଧ୍ୱ ଜାହାଜ ପାରାଦୀପ ବନ୍ଦରରେ ଗିରଫ ହୋଇ ସାରିଛନ୍ତି। ଗିରଫ ହେବା ପରେ ହାଇକୋର୍ଟରେ ଆପୋଷ ସମାଧାନ ମଧ୍ୟରେ ପୂର୍ବରୁ ୩ଟି ଜାହାଜ ଟଙ୍କା ପୈଠ କରି ମୁକୁଳି ସାରିଛନ୍ତି । ପରବର୍ତ୍ତୀ ଶୁଣାଣି ଉପରେ ଏମ୍‌ଭି ଡେନସା ଲାୟନ ଜାହାଜର ଭାଗ୍ୟ ନିର୍ଭର କରୁଛି।