ଦୁବାଇ,୨୭/୦୯: ଏସିଆ କପ୍ରେ ଆସନ୍ତା ୨୮ ତାରିଖରେ ଭାରତ ଓ ପାକିସ୍ତାନ ଫାଇନାଲ ଖେଳିବେ । ଏକ ଟେଲିଭିଜନ କାର୍ଯ୍ୟକ୍ରମ ‘ଗେମ୍ ଅନ୍ ହାଇ’ରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର ଫାଇନାଲକୁ ବିଶ୍ଳେଷଣ କରୁଥିଲେ । ସେ କହିଥିଲେ, ‘ଯଦି ପାକିସ୍ତାନ ଓପନର ଅଭିଷେକ ବଚ୍ଚନଙ୍କୁ ଶୀଘ୍ର ଆଉଟ୍ କରୁଛି, ତେବେ ଭାରତର ମଧ୍ୟଭାଗରେ କ’ଣ ହେବ? କାରଣ ମଧ୍ୟଭାଗର ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ।’
ପ୍ରକୃତରେ ଅଖତାର ଅଭିଷେକ ଶର୍ମା କହିବା କଥା କିନ୍ତୁ ତାଙ୍କ ପାଟିରୁ ଅଭିଷେକ ‘ବଚ୍ଚନ’ ବାହାରି ଯାଇଥିଲା । ଏହି ଭିଡିଓ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । କିନ୍ତୁ କାର୍ଯ୍ୟକ୍ରମରେ ଥିବା ଅନ୍ୟ ସାଥି ବିଶେଷଜ୍ଞମାନେ ଏହାକୁ ସଂଶୋଧନ କରିନଥିଲେ । ଅଭିଷେକ ଶର୍ମା ଏବେ ଭଲ ଫର୍ମରେ ରହିଛନ୍ତି । କ୍ରମାନ୍ୱୟରେ ସେ ଭଲ ପ୍ରଦର୍ଶନ କରି ଚାଲିଛନ୍ତି । ଯାହା ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛି । ପାକିସ୍ତାନ ଗ୍ରୁପ୍ ଓ ସୁପର-୪ ରାଉଣ୍ଡରେ ଭାରତଠୁ ପରାସ୍ତ ହୋଇଛି । କିନ୍ତୁ ଫାଇନାଲରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।