ନୂଆଦିଲ୍ଲୀ, ୨୪/୧୦ : ପ୍ରକୃତି ପ୍ରେମୀଙ୍କ ପାଇଁ ଭଲ ଖବର। ପ୍ରକୃତି କୋଳକୁ ଫେରୁଛନ୍ତି ବିଲୁପ୍ତ ପାହାଡ଼ ଭୂତ। ଏସିଆ ମହାଦେଶରେ ବଢିଲା ଦୁର୍ଲଭ ହିମ ବାଘ ବଂଶ। ଅନ୍ତରାଷ୍ଟ୍ରୀୟ ସହଯୋଗ, ବୈଜ୍ଞାନିକଙ୍କ ଚେଷ୍ଟା ଓ ସ୍ଥାନୀୟ ସମୁଦାୟଙ୍କ ଚେଷ୍ଟାରେ ପୁଣି ଥରେ ଜୀବନ୍ତ ହୋଇ ଉଠିଲେ ଏହି ଦୁର୍ଲଭ ପ୍ରଜାତିର ପାନ୍ଥେରା ଉନସିଆ।

ହିମ ଚିତାବାଘ ପାନ୍ଥେରା ଉନସିଆ ଏକ ରହସ୍ୟମୟ ପ୍ରାଣୀ। ଏସିଆ ମହାଦେଶର ୧୨ ପର୍ବତୀୟ ଦେଶ ଆଫଗାନିସ୍ତାନ, ଭୁଟାନ, ଚୀନ, ଭାରତ, କାଜାକିସ୍ତାନ, କାର୍ଗିସ୍ତାନ, ମଙ୍ଗୋଲିଆ, ନେପାଳ, ପାକିସ୍ତାନ, ଋଷ, ତାଜାକିସ୍ତାନ ଓ ଉଜବେକିସ୍ତାନର ପାହାଡ଼ରେ ହିମ ଚିତାବାଘ ଦେଖିବାକୁ ମିଳନ୍ତି। ଏମାନଙ୍କର ସଂଖ୍ୟା ମାତ୍ର ୨ ହଜାର ୭୧୦ ରୁ ୩ ହଜାର ୩୮୦ ଭିତରେ ରହିଛି। ସେହିପରି ଭାରତରେ ୭୧୮ଟି ପାନ୍ଥେରା ଉନସିଆ ଅଛନ୍ତି। ଏମାନେ ମୁଖ୍ୟତଃ ହିମାଳୟ ପର୍ବତରେ ରୁହନ୍ତି।

ସ୍ନୋ ଲିଓପାର୍ଡ ଆସେସମେଣ୍ଟ ଇନ ଇଣ୍ଡିଆର ରିପୋର୍ଟ ଅନୁସାରେ ଲଦାଖରେ ୪୭୭, ଉତ୍ତରାଖଣ୍ଡରେ ୧୨୪, ହିମାଚଳରେ ୫୧, ଅରୁଣାଚଳରେ ୩୬, ସିକ୍କିମରେ ୨୧, ଜାମ୍ମୁ କାଶ୍ମୀରରେ ୯ଟି ହିମ ଚିତାବାଘ ଅଛନ୍ତି। ଏହି ସଂଖ୍ୟା କମ୍ ଲାଗୁଥିଲେ ମଧ୍ୟ ଗତ ଦଶକ ମଧ୍ୟରେ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏତିକିରେ ପହଞ୍ଚିଛି। ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସରକାର ଓ ସ୍ଥାନୀୟ ଲୋକଙ୍କ ଦ୍ଵାରା ସ୍ନୋ ଲିଓପାର୍ଡ ଅଭିଯାନ କରାଯାଉଛି। 

​​​​​​​ଜାତିସଂଘ ମହାସଭା ଚେତାବନୀ ଦେଇଛି ଯେ, ଜୈବ ବିବିଧତା କ୍ଷତିକୁ ରୋକିବା ମାନବଜାତି ପାଇଁ ପ୍ରାଥମିକତା ହେବା ଆବଶ୍ୟକ। ଗ୍ଲୋବାଲ୍ ସ୍ନୋ ଲଓପାର୍ଡ ଆଣ୍ଡ୍ ଇକୋସିଷ୍ଟମ୍ ପ୍ରୋଟେକ୍ସନ୍ ପ୍ରୋଗ୍ରାମ୍ (GSLEP) ଭଳି ଅନ୍ତର୍ଜାତୀୟ ଫୋରମ୍ ଏହି ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତ ଏକ ପ୍ରମୁଖ ଅଂଶୀଦାର ଭାବରେ ୧୨ଟି ଦେଶକୁ ଏକତ୍ରିତ କରିଛି। ହିମ ଚିତାବାଘ କେବଳ ଏକ ପ୍ରାଣୀ ନୁହେଁ ବରଂ ପର୍ବତମାଳାର ଆତ୍ମା। ଏହାକୁ ସୁରକ୍ଷା ଦେବା ଅର୍ଥ ହିମାଳୟ, ନଦୀ ଏବଂ ଭବିଷ୍ୟତ ପିଢ଼ିର ଭବିଷ୍ୟତକୁ ସୁରକ୍ଷା ଦେବା।