ଚମ୍ପୁଆ,୧୫/୧୦: ଶ୍ୱଶୁର ଘରେ ପଶି ପରିବାର ଲୋକଙ୍କୁ ବାହାରୁ ତାଲା ପକାଇଲା । ପରେ ଘରେ ନିଆଁ ଲଗାଇ ଦେଲା । ଏଭଳି ଅମାନୁଷିକ କାଣ୍ଡ ଭିଆଇ ଫୋରାର ହୋଇଯାଇଛି ଜ୍ୱାଇଁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଜାମୁଦଲକ ପଞ୍ଚାୟତ ମଙ୍ଗଳପୁର ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ମଙ୍ଗଳପୁର ଗାଁର ଶିବ ନାଏକ ତାଙ୍କ ସାନ ଝିଅକୁ କେନ୍ଦୁଝର ଶଙ୍କରାପଶି ଗାଁରେ ଅଙ୍କୁର ଷଡଙ୍ଗୀଙ୍କ ସହ ବିବାହ କରାଇଥିଲେ। ପୁଅ ନଥିବାରୁ ସାନ ଝିଅ ଓ ଜ୍ୱାଇଁ ତାଙ୍କ ସହିତ ମଙ୍ଗଳପୁର ଗାଁରେ ରହି ଆସୁଥିଲେ । ମଙ୍କଳବାର ରାତିରେ ଜ୍ୱାଇଁ ଅଙ୍କୁର ମଦ ନିଶାରେ ଘରକୁ ଆସି ପାଟିତୁଣ୍ଡ କରିଥିଲା । ମଦ ପିଇବାକୁ ନେଇ ପରିବାର ଲୋକ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଖାଇ ସାରିବା ପରେ ଅଙ୍କୁର ଗୋଟିଏ ଘରେ ଶୋଇ ଥିବା ବେଳେ ତାଙ୍କ ସ୍ତ୍ରୀ, ଅଢେଇ ବର୍ଷର ଝିଅ ଓ ଶାଶୂ ଶ୍ୱଶୁର ଅନ୍ୟ ଏକ ଘରେ ଶୋଇଥିଲେ । ରାତି ପ୍ରାୟ ୧୧ଟା ବେଳେ ଶାଶୂ ଏବଂ ଶ୍ୱଶୁର ଶୋଇଥିବା କୋଠରୀକୁ ବାହାର ପଟୁ ତାଲା ପକାଇ ଘରେ ନିଆଁ ଲଗାଇ ଫେରାର ହେଇଯାଇଥିଲା। ପଡ଼ିଶା ଘର ଲୋକ ଶବ୍ଦ ଶୁଣି ତାଙ୍କୁ ଘରୁ ବାହାର କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଚମ୍ପୁଆ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।