ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବିଆର ଗଭାଇଙ୍କୁ ଆକ୍ରମଣ କରିବା ଘଟଣାରେ ବାର କାଉନସିଲ ଅଫ ଇଣ୍ଡିଆ ଓକିଲ ରାକେଶ କିଶୋରଙ୍କୁ ନିଲମ୍ୱିତ କରିଛି। ପ୍ରାସଙ୍ଗିକ ଆଇନଗତ ବ୍ୟବସ୍ଥା ଅନୁଯାୟୀ ବହୁ ଜଲଦି ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳୁଛି।
ଖାଲି ଏତିକି ନୁହେଁ, ଅଭିଯୁକ୍ତ ଓକିଲଙ୍କ ବିରୁଦ୍ଧରେ ବାର କାଉନସିଲ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହି ନୋଟିସ ଗ୍ରହଣ କରିବାର ୧୫ ଦିନ ମଧ୍ୟରେ ତାଙ୍କୁ ଏନେଇ ଉତ୍ତର ରଖିବାକୁ ଆଦେଶ ମଧ୍ୟ ଦିଆଯାଇଛି। ଏହି କାରଣ ଦର୍ଶାଅ ନୋଟିସରେ କଣ ପାଇଁ ତାଙ୍କ ନିଲମ୍ୱନ ଆଦେଶକୁ କାର୍ଯ୍ୟକାରୀ କରାଯିବନାହିଁ ଓ ଅନ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ତା ବିଷୟରେ ଉତ୍ତର ରଖିବାକୁ କୁହାଯାଇଛି।
ଏହି ନିଲମ୍ୱନ ଯୋଗୁଁ ରାକେଶ ଆଗକୁ ଦେଶର କୌଣସି ବି କୋର୍ଟରେ ମାମଲା ଲଢିପାରିବେ ନାହିଁ। ବାର କାଉନସିଲ ଅଫ ଦିଲ୍ଲୀ ତତ୍କାଳ ପ୍ରଭାବରେ ଏହି ଆଦେଶକୁ କାର୍ଯ୍ୟକାରି କରିବାକୁ ଆଦେଶ ଦେଇଛି।
ଏହାସହ ରାକେଶଙ୍କ ଏହି ଆଦେଶର ଏକ ଏକ ନକଲ ଦେଶର ସମସ୍ତ କୋର୍ଟ ଓ ଟ୍ରିବୁନାଲକୁ ପଠାଇବାକୁ ମଧ୍ୟ ନୋଟିସ ଜାରି କରାଯାଇଛି।
ସୂଚନା ମୁତାବକ, ମୁଖ୍ୟ ବିଚାରପତି ବି.ଆର ଗବାଇଙ୍କ ଖଣ୍ଡପୀଠର ଶୁଣାଣୀ ସମୟରେ ଓକିଲ ଜଣକ ହଠାତ୍ ଉଗ୍ର ହୋଇପଡିଥିଲେ ଏବଂ ଅଦାଲତରେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ରାକେଶ ଏତେ ପରିମାଣରେ କ୍ରୋଧିତ ହୋଇ ପଡିଥିଲେ ଯେ, ଜୋତା ଖୋଲି ମୁଖ୍ୟ ବିଚାରପତି(CJI) ଙ୍କ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ କୋର୍ଟ ରୁମ୍ରେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତ ଦେଖାଦେଇଥିଲା। ଏହି ଘଟଣା ପରେ ହଠାତ ସୁରକ୍ଷାକର୍ମୀ ମାନେ ସେଠାକୁ ଆସି ସଂପୃକ୍ତ ଓକିଲ ଜଣଙ୍କୁ ହେପାଜତକୁ ନେଇଥିଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ ସମଗ୍ର ଦେଶରେ ଚିନ୍ତାଜନକ ପରିସ୍ଥିତି ପରିଲକ୍ଷିତ ହୋଇଛି।
ତେବେ ଏବି ଆକ୍ରମଣ ପଛରେ CJI ବି.ଆର ଗବାଇଙ୍କ ବିଷ୍ଣୁ ପ୍ରତିମାକୁ ନେଇ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଦାୟୀ ବୋଲି ରାସେଶହ୍କ ଜମେ ନିକଟ ସମ୍ପର୍କିୟ ସୂଚନା ପ୍ରଦାନ କରିଛନ୍ତି।