ଭୁବନେଶ୍ୱର, ୧୫/୧୦: ବିଗତ ଦିନରେ ବେଶ୍ ଚର୍ଚ୍ଚାରେ ରହିଆସିଛି ବନ୍ତାରା । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ପାନୀଙ୍କ ସ୍ୱପ୍ନର ପ୍ରକଳ୍ପ ହେଉଛି ଏହି ‘ବନ୍ତାରା’ । ପଶୁପକ୍ଷୀଙ୍କ ପାଇଁ ଉତ୍ସର୍ଗୀକୃତ । ସେମାନଙ୍କ ଉଦ୍ଧାର, ଯତ୍ନ ଓ ସଂରକ୍ଷଣ ପାଇଁ ଏହା ବିଶ୍ୱର ସର୍ବବୃହତ୍ ପଶୁ ଏବଂ ପକ୍ଷୀ ସଂରକ୍ଷଣ କେନ୍ଦ୍ର ମଧ୍ୟରୁ ଅନ୍ୟତମ ।
୩,୫୦୦ ଏକରରୁ ଅଧିକ ଅଞ୍ଚଳ ପରିବ୍ୟାପ୍ତ ବନ୍ତାରା ହେଉଛି ୨,୦୦୦ରୁ ଅଧିକ ପ୍ରଜାତିଙ୍କ ବାସସ୍ଥଳ । ଏଥିରେ ୪୦ରୁ ଅଧିକ ଉନ୍ନତ ତଥା ଅତ୍ୟାଧୁନିକ ପଶୁ ଚିକିତ୍ସା କେନ୍ଦ୍ର ରହିଛି । ବିଶ୍ୱର ସର୍ବବୃହତ୍ ହାତୀ ହସ୍ପିଟାଲ ମଧ୍ୟ ଏଠାରେ କାର୍ଯ୍ୟ କରୁଛି । ଆଜି ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି । ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଥିବା ଚିତା ପ୍ରକଳ୍ପରେ ୧୭ଟି ଚିତା ଶାବକଙ୍କ ଜନ୍ମ ଏଠାରେ ହୋଇଛି । କଥା କହିପାରୁ ନ ଥିବା ପ୍ରାଣୀମାନଙ୍କ ପାଇଁ ଏତେ ଉଲ୍ଲେଖନୀୟ କାର୍ଯ୍ୟ ସତ୍ତେ୍ୱ ବନ୍ତାରାକୁ ନେଇ ଅଯଥା ବିବାଦ ମଧ୍ୟ ଲାଗିରହିଛି । କିନ୍ତୁ ଏହି ବିବାଦଗୁଡ଼ିକୁ ଦୃଢ଼ତାର ସହ ସାମ୍ନା କରିଛି ବନ୍ତାରା ଏବଂ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହାକୁ ମିଳିଛି କ୍ଲିନ୍ଚିଟ୍ ।
ନିକଟରେ ସୁପ୍ରିମକୋର୍ଟ ବନ୍ତାରା ବିରୁଦ୍ଧରେ କରାଯାଉଥିବା ଭିତ୍ତିହୀନ ତଥା ମିଥ୍ୟା ଅଭିଯୋଗକୁ ଖାରଜ କରିଛନ୍ତି । କୋର୍ଟ ଅଭିଯୋଗକାରୀଙ୍କୁ ଭର୍ତ୍ସନା କରି କହିଛନ୍ତି, ‘ଯଦି ଦେଶରେ ଭଲ କାମ ହେଉଛି, ତେବେ ତାହା ହେବାକୁ ଦିଅନ୍ତୁ । ବନ୍ତାରାକୁ ବଦ୍ନାମ କରନ୍ତୁ ନାହିଁ ।’ ସୁପ୍ରିମକୋର୍ଟରେ ବନ୍ତାରା ବିରୁଦ୍ଧରେ ଦୁଇଟି ଆବେଦନ ଦାଖଲ ସହିତ ମାମଲା ଆରମ୍ଭ ହୋଇଥିଲା । ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଗଠନ କରିଥିଲେ । ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ର ନେତୃତ୍ୱ ନେଇଥିଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଜେ. ଚେଲାମେଶ୍ୱର ।
ସ୍ୱତନ୍ତ୍ର ତଦନ୍ତ ଦଳ ଶହ ଶହ ପ୍ରଶ୍ନ ସହିତ ଏହାର ତଦନ୍ତ ଆରମ୍ଭ କରିଥିଲା ଏବଂ ୧୮ରୁ ଅଧିକ ଭାରତ ସରକାରଙ୍କ ମନ୍ତ୍ରାଳୟ, ବିଭାଗ, କର୍ତ୍ତୃପକ୍ଷ ଏବଂ ବ୍ୟୁରୋ ତଦନ୍ତ ପରିସରରେ ରହିଥିଲେ । ତଦନ୍ତ ସମୟରେ, ଏସ୍ଆଇଟି ପଶୁ ଅଧିଗ୍ରହଣ, ଚୋରାଚାଲାଣ ଏବଂ ମନିଲଣ୍ଡରିଂ ସମ୍ପର୍କିତ ଅଭିଯୋଗ ତଥା ପଶୁପାଳନ, ସଂରକ୍ଷଣ ଏବଂ ପ୍ରଜନନ ଓ ଆର୍ଥିକ ଏବଂ ବ୍ୟବସାୟିକ ଅନିୟମିତତା ସମ୍ପର୍କିତ ଅଭିଯୋଗଗୁଡ଼ିକର ଯାଞ୍ଚ କରିଥିଲା । ଶେଷରେ ଜଣାପଡ଼ିଲା, କୌଣସି ଆଇନର ଉଲ୍ଲଂଘନ କରିନାହିଁ ବନ୍ତାରା ।
ଆଇନର ଉଲ୍ଲଂଘନ କରିନାହିଁ ବନ୍ତାରା
ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ, ଏସ୍ଆଇଟି ସ୍ପଷ୍ଟ ଭାବରେ କହିଛି ଯେ, ବନ୍ତାରାରେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ ୧୯୭୨, ଚିଡ଼ିଆଖାନା ମାନ୍ୟତା ନିୟମ ୨୦୦୯, କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ନିର୍ଦ୍ଦେଶାବଳୀ, କଷ୍ଟମ୍ସ ଆଇନ ୧୯୬୨, ବୈଦେଶିକ ବାଣିଜ୍ୟ ଆଇନ ୧୯୯୨, ବିଦେଶୀ ମୁଦ୍ରା ପରିଚାଳନା ଆଇନ ୧୯୯୯, ମନି ଲଣ୍ଡରିଂ ନିବାରଣ ଆଇନ ୨୦୦୨, ଭାରତୀୟ ଦଣ୍ଡ ସଂହିତା ୨୦୨୩, କିମ୍ବା ବନ୍ୟପ୍ରାଣୀ ଏବଂ ବିଲୁପ୍ତପ୍ରାୟ ପ୍ରଜାତି ସହିତ ଜଡ଼ିତ ଅନ୍ତର୍ଜାତୀୟ ନିୟମାବଳୀର କୌଣସି ଉଲ୍ଲଂଘନ ହୋଇନାହିଁ ।
ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରେ
ବନ୍ତାରାରେ ପ୍ରାଣୀମାନଙ୍କ ପାଇଁ ସୁବିଧାଗୁଡ଼ିକ ନିର୍ଦ୍ଧାରିତ ମାନଦଣ୍ଡଠାରୁ ଉପରେ ରହିଥିବା ତଦନ୍ତରୁ ଜଣାପଡ଼ିଥିଲା । ପଶୁ ମୃତ୍ୟୁ ସଂଖ୍ୟା ମଧ୍ୟ ବିଶ୍ୱ ହାରାହାରି ସହିତ ସମାନ ଥିବା ଜଣାପଡ଼ିଥିଲା । ସମ୍ପୂର୍ଣ୍ଣ ରେକର୍ଡ ବିଚାର କରିବା ପରେ, ଏସ୍ଆଇଟି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇଥିଲା ଯେ, ବନ୍ତାରାର ବ୍ୟବସ୍ଥା ଓ ସୁବିଧାଗୁଡ଼ିକ ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିଛି ଏବଂ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିର ବୈଧାନିକ ମାନଦଣ୍ଡକୁ ଅତିକ୍ରମ କରିଛି । ପଶୁ ଯତ୍ନରେ ଏକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଂଗଠନ, ଗ୍ଲୋବାଲ୍ ହ୍ୟୁମାନ୍ ସୋସାଇଟି ଆନ୍ତର୍ଜାତୀୟ ମାନଦଣ୍ଡ ପାଳନ ପାଇଁ ବନ୍ତାରାକୁ ‘ଗ୍ଲୋବାଲ୍ ହ୍ୟୁମାନ୍ ସାର୍ଟିଫାଏଡ୍ ସିଲ୍ ଅଫ୍ ଆପ୍ରୁଭାଲ୍’ ପ୍ରଦାନ କରିଛି ।
ପ୍ରକ୍ରିୟାରୁ ଶିକ୍ଷା
ସୁପ୍ରିମକୋର୍ଟ କହିଛନ୍ତି, ‘ଭଲ କାମ ଜାରି ରହିବାକୁ ଦିଅ । ପ୍ରକୃତରେ, ଏକ ଦେଶ କେବଳ ସେତେବେଳେ ପ୍ରଗତି କରିପାରିବ ଯଦି ଏହା ବିକାଶର ସମସ୍ତ ଦିଗରେ ଅଗ୍ରଗତି କରେ । ପଶୁ ସଂରକ୍ଷଣ ଏବଂ ସେମାନଙ୍କ କଲ୍ୟାଣ ମଧ୍ୟ ବିକଶିତ ଭାରତର ଗୁରୁତ୍ୱପୂର୍ଣ୍ଣ ଦିଗ । ଯେତେବେଳେ ଦେଶର ସର୍ବବୃହତ୍ କମ୍ପାନି ବିଶ୍ୱର ସର୍ବବୃହତ୍ ପଶୁ ସଂରକ୍ଷଣ ଅଭିଯାନର ନେତୃତ୍ୱ ନେଉଛି, ସେତେବେଳେ କିଛି ବ୍ୟକ୍ତି ଆଇନଗତ ପ୍ରକ୍ରିୟାର ଅପବ୍ୟବହାର କରି ଏହାକୁ ବାଧା ଦେବାକୁ ଚେଷ୍ଟା କରୁଛନ୍ତି । ସୁପ୍ରିମକୋର୍ଟ ବନ୍ତାରାର ପ୍ରାଣୀ କଲ୍ୟାଣ ମିଶନ ବିରୁଦ୍ଧରେ ସନ୍ଦେହ ଏବଂ ଅଭିଯୋଗକୁ ଭିତ୍ତିହୀନ ପ୍ରମାଣିତ କରିବା ପରେ, ଆଶା କରାଯାଉଛି ଯେ ବନ୍ତାରା ସମାନ ମନୋଭାବରେ ଏହାର କାର୍ଯ୍ୟ ଜାରି ରଖିବ ।