ନୂଆଦିଲ୍ଲୀ,୨୧/୦୯: ସୁପର ସଣ୍ଡେରେ ଆଜି ସୁପର ମୁକାବିଲା । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ । ଆଜି  ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଏସିଆ କପ୍ ସୁପର ୪ ମ୍ୟାଚ୍ ପୂର୍ବରୁ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ଼ ବୟାନ ଦେଇଛନ୍ତି । ଟିମ୍ ପ୍ଲେୟାରଙ୍କୁ ମନ୍ତ୍ର ଦେଇଛନ୍ତି ସୂର୍ଯ୍ୟ । ତାଙ୍କ ଅମୋଘ 'ଶୟନ' ଅସ୍ତ୍ର ବିଷୟରେ କହିଛନ୍ତି । 

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ସୃଷ୍ଟି ହୋଇଥିବା ଚାପକୁ କିଭଳି ଦୂର କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପଚରା ଯାଇଥିବା ପ୍ରଶ୍ନର ମଜାଦାର ଉତ୍ତର ରଖିଛନ୍ତି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ସେ କହିଛନ୍ତି, ''ଏ ସବୁ ଚର୍ଚ୍ଚା, ତର୍କ ବିତର୍କରୁ ଦୂରେଇ ଖେଳ ଉପରେ ଧ୍ୟାନ ଦେବା ଲାଗି ମୋ ପାଖରେ ଅମୋଘ ଅସ୍ତ୍ର ଅଛି । ରୁମ୍‌ ବନ୍ଦ କର, ମୋବାଇଲ ସୁଇଚ୍ ଅଫ୍ କର ଏବଂ ଆରାମରେ ଶୋଇଯାଅ । ଅବଶ୍ୟ ଏହା ସବୁବେଳେ ସମ୍ଭବ ନୁହେଁ । ଆପଣ ସାଙ୍ଗସାଥୀଙ୍କୁ ଭେଟନ୍ତି, ବାହାରକୁ ଖାଇବାକୁ ଯାଆନ୍ତି । ତଥାପି ମୁଁ ଏହି ନୟମକୁ ଯଥାସମ୍ଭବ ଅନୁସରଣ କରିବାକୁ ଚେଷ୍ଟା କରିଥାଏ । ଅନ୍ୟମାନଙ୍କୁ ମଧ୍ୟ ଏହି ହୋ ହାଲ୍ଲାରୁ ଦୂରେଇ ରହି ମନ ଓ ଶରୀରକୁ ସତେଜ ରଖିବାକୁ ପରାମର୍ଶ ଦେଇଛି । ମୋ ପାଇଁ କିନ୍ତୁ ବିଶ୍ରାମର ବଡ଼ ମହତ୍ତ୍ୱ ରହିଛି । ତେଣୁ କିଛି ଚିନ୍ତା ନ କରି ଯେତେ ଶୋଇବି ସେତେ ସତେଜ ଅନୁଭବ କରିବି ଆଉ ପ୍ରଦର୍ଶନ ଭଲ କରିବି ।''

ଗତ ରବିବାର ଏସିଆ କପରେ ଭାରତ-ପାକିସ୍ତାନ ପ୍ରଥମ ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ଅପରାଜିତ ୪୭ ରନ କରି ସମାନ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିଜୟ ହାସଲ କରିଥିଲେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଟସ୍ ସମୟରେ ପ୍ରତିପକ୍ଷ ଅଧିନାୟକ ସଲମାନ ଅଲି ଆଘଙ୍କ ସହ ହାତ ମିଳାଇନଥିଲେ ସୂର୍ଯ୍ୟ । ମ୍ୟାଚ ପରେ ବି ପାକିସ୍ତାନ ପ୍ଲେୟାରଙ୍କ ସହ ହାତ ମିଳାଇନଥିଲା ଭାରତ । ଏହାକୁ ନେଇ ନୋ ହ୍ୟାଣ୍ଡସେକ୍ ବିବାଦ ଉପୁଜିଥିଲା । ଏହାକୁ ନେଇ ହାଇଡ୍ରାମା ବି କରିଥିଲା ପାକିସ୍ତାନ । ଏହି ମ୍ୟାଚକୁ ୭ ୱିକେଟରେ ଜିତିଥିଲା ଟିମ୍ ଇଣ୍ଡିଆ । ପହଲଗାମ୍ ଆକ୍ରମଣର ପୀଡିତ ଏବଂ ଭାରତୀୟ ସଶସ୍ତ୍ର ବାହିନୀକୁ ବିଜୟ ଉତ୍ସର୍ଗ କରିଥିଲା ଭାରତ