ପୋଲସରା ୨୪/୯: ପୁଣି ଅଶାନ୍ତ ହୋଇପଡିଛି ଗଞ୍ଜାମ ଜିଲ୍ଲା। ପୋଲସରା ଥାନା ନିକଟ ଚିରିକିପଡା ଶାସନର ହତ୍ୟାକାଣ୍ଡ ଘଟଣାକୁ ୪୮ ଘଣ୍ଟା ନପୂରୁଣୁ ପୁଣି ପୋଲସରା ଥାନା ଅଞ୍ଚଳରେ ଘଟିଛି ଆଉ ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ! ଏହିଭଳି ହତ୍ୟାକାଣ୍ଡ ଘଟିଛି ପୋଲସରା ଥାନା ଚଢିଆପଡା ଗ୍ରାମରେ। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀ ଜଣକ ହେଲେ ବାଲିଛାଇ ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ଝିଅ ସୋନାଲି ବେହେରା। ସେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର କଳା ବିଭାଗର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ।
ସୂଚନା ଅନୁସାରେ, ସୋନାଲି ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ + ୩ ରେ ପଢ଼ନ୍ତି। ସେ ସବୁଦିନ ପରି ଘରୁ କଲେଜକୁ ସାଇକେଲ ଯୋଗେ ଯିବାଆସିବା କରନ୍ତି | ତେବେ ସେ ବୁଧବାର ସକାଳୁ କଲେଜ ବାହାରି ଆସି ଚଢିଆପଡାଠାରେ ଜିତେନ୍ଦ୍ର ସାହୁଙ୍କ ଘରେ ଅଟକିଥିଲେ। ଏହାପରେ ସକାଳ ପ୍ରାୟ ୧୦ଟା ସମୟରେ ସେଠାରୁ ସୋନାଲିଙ୍କ ଘରକୁ ଚନ୍ଦନ ନାମକ ଜଣେ ଯୁବକ ଫୋନ ଯୋଗେ ଯୋଗାଯୋଗ କରି ସୋନାଲି ମୃତ୍ୟୁବରଣ କରିଥିବା ନେଇ ସୂଚନା ଦେଇଥିଲେ।
ଖବର ପାଇ ପରିବାର ଲୋକଙ୍କ ସହ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୋଲସରା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିବା ସହ ଚଢିଆପଡାର ଜିତେନ୍ଦ୍ର ସାହୁ ଓ ତାଙ୍କ ପୁଅ ଚନ୍ଦନ ସାହୁଙ୍କୁ ଗିରଫ କରିଥିବା ଜଣାପଡିଛି। ଅନ୍ୟପଟେ ସାଇଣ୍ଟିଫିକ ଟିମ ମଧ୍ଯ ଘଟଣାସ୍ଥଳର ତଦାରଖ କରି ନମୁନା ସଂଗ୍ରହ କରିଛି। ପୋଲିସ ଶବ ବ୍ୟବଛେଦ ନିମନ୍ତେ ମୃତଦେହକୁ ବ୍ରହ୍ମପୁର ମେଡିକାଲକୁ ପଠାଇଛି। ଝିଅର ମୃତ୍ୟୁକୁ ନେଇ ମାଆ ରିଙ୍କି ବେହେରା ପୋଲସରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଏ ନେଇ ପୁଲିସ ୬୯୧/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।