ପାଟନା,୦୪/୧୧: ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ନଭେମ୍ବର ୬ରେ ୧୨୧ଟି ଆସନ ପାଇଁ ମତଦାନ ହେବ । ପ୍ରଚାର ଥମିବା ପୂର୍ବରୁ ଆରିଜେଡ଼ି ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ସରକାର ଆସିଲେ ୨ ମାସ ପରେ ଅର୍ଥାତ୍ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତିରେ ପ୍ରତି ମହିଳାଙ୍କ ବ୍ୟାଙ୍କ ଖାତାକୁ ୩୦ ହଜାର ଟଙ୍କା ଆସିବ । ଚାଷୀଙ୍କୁ ମାଗଣା ବିଜୁଳି ମିଳିବ । ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଯାଦବ ଏହି ଘୋଷଣା କରିଛନ୍ତି ।
ପ୍ରେସ୍ମିଟ କରି ତେଜସ୍ୱୀ କହିଛନ୍ତି, ''ଜନତା ଏଥର ପରିବର୍ତ୍ତନ ମୁଡରେ ଅଛନ୍ତି । ଆମେ ନିର୍ବାଚନ ଜିତିବୁ ଜନତା ଜିତାଇବେ । ନଭେମ୍ବର ୧୮ରେ ଆମେ ଶପଥ ନେବୁ । ଆମ ଇସ୍ତାହାରରେ ରହିଛି ସବୁ ସରକାରୀ କର୍ମଚାରୀ ପୁଲିସ୍, ସ୍ୱାସ୍ଥ୍ୟକର୍ମୀ ହେଉ କିମ୍ବା ଶିକ୍ଷକ ସେମାନଙ୍କର ୭୦ କିମି ମଧ୍ୟରେ ବଦଳି ହେବେ । ଗହମ ହେଉ କି ଧାନ କିସାନଙ୍କୁ ଏମ୍ଏସପି ମିଳିବ । ଧାନରେ ୩୦୦ ଓ ଗହମରେ ୪୦୦ ଟଙ୍କାର ଏମ୍ଏସପି ଦେବୁ । ଚାଷ ପାଇଁ ଚାଷୀଙ୍କୁ ମାଗଣା ବିଜୁଳି ମିଳିବ । ମାଆ-ଭଉଣୀ ଯୋଜନାରେ ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ପ୍ରତି ମହିଳାଙ୍କ ଖାତାକୁ ୩୦ ହଜାର ଟଙ୍କା ଆସିବ । ଆମ ସରକାର ଏକ ବର୍ଷ ପାଇଁ ପାଣ୍ଠି ଯୋଗାଇବ ଯାହା ଦ୍ୱାରା ମହିଳାମାନେ ଲାଭ ପାଇପାରିବେ । ଜୀବିକା ଦିଦି ସମ୍ପ୍ରଦାୟ ମୋବିଲାଇଜରମାନଙ୍କୁ ସ୍ଥାୟୀ କରାଯିବ । ସେମାନେ ପ୍ରତି ମାସରେ ୨୦୦୦ଟଙ୍କା ପାଇବେ ।''
#WATCH | #BiharElection2025 | Patna, Bihar: RJD leader and Mahagathbandhan's CM face Tejashwi Yadav says, "Hum log jeet rahe hain, Bihar ki janta jita rahi hai. We will take the oath on 18th November." pic.twitter.com/P1LyoWxsQG
— ANI (@ANI) November 4, 2025
କହି ରଖୁଛି କି, ଦୁଇଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ । ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ଓ ୧୧ରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ହେବ । ଦୁଇଟି ପର୍ଯ୍ୟାୟରେ ମୋଟ୍ ୧୬୧୬ ପ୍ରାର୍ଥୀ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାରେ ୧୨୧ଟି ଆସନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ୧୪ରେ ଭୋଗ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ପୂର୍ବରୁ, ମହାମେଣ୍ଟ "ତେଜସ୍ୱୀ ପ୍ରଣ" ଶୀର୍ଷକ ଏକ ଇସ୍ତାହାର ଜାରି କରିଥିଲା। ଏଥିରେ ପ୍ରତ୍ୟେକ ପରିବାର ପାଇଁ ଏକ ସରକାରୀ ଚାକିରି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା।