ନୂଆଦିଲ୍ଲୀ ୨୧/୦୭: ରବିବାର ଶେଷ ହୋଇଛି ଫିଫା ବିଶ୍ୱକପ୍ ୨୦୨୬ । ଟୁର୍ନାମେଣ୍ଟରେ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ୩ ସଂଚାଳକ ଦେଶରେ ଅନୁଷ୍ଠିତ ପ୍ରାୟ ପ୍ରତ୍ୟେକ ମ୍ୟାଚ୍ରେ ନଜର ଆସିଛନ୍ତି ଫିଫା ଅଧ୍ୟକ୍ଷ ଜିଆନି ଇନ୍ଫାଣ୍ଟିନୋ । ଦିନକୁ ଯଥାସମ୍ଭବ ଦୁଇଟି ମ୍ୟାଚ୍ରେ ଯୋଗ ଦେବା ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା । ଏଥିପାଇଁ ନିଜର ବିଳାସପୂର୍ଣ୍ଣ ଜେଟ୍ କାତାର ଏକ୍ଜିକ୍ୟୁଟିଭ୍ ଗଲ୍ଫଷ୍ଟ୍ରିମ୍ ଜି୬୫୦ଇଆର୍ରେ ସେ ହଜାର ହଜାର କିମି ଯାତ୍ରା କଲେ । ଟୁର୍ନାମେଣ୍ଟରେ ଇନ୍ଫାଣ୍ଟିନୋ ମୋଟ୍ ୯୫,୪୦୩ କିମି ଯାତ୍ରା କରିଛନ୍ତି । ଏହି ବିଶାଳ ଦୂରତା ପୃଥିବୀର ଭୂମଧ୍ୟରେଖାକୁ ଦୁଇରୁ ଅଧିକ ଥର ପରିକ୍ରମା କରିବା ସହ ସମାନ ।
ବିଶ୍ୱ ଫୁଟ୍ବଲ ପରିଚାଳନା ସଂସ୍ଥାର ମୁଖ୍ୟ ରୂପେ ଇନ୍ଫାଣ୍ଟିନୋ ଯେତେ ମ୍ୟାଚ୍ରେ ଯୋଗ ଦେବାକୁ ପ୍ରଥମେ ଚିନ୍ତା କରିଥିଲେ, ତାହା ସମ୍ଭବ ହୋଇପାରିଲା ନାହିଁ । ତଥାପି ସମଗ୍ର ଟୁର୍ନାମେଣ୍ଟରେ ଗ୍ରୁପ୍ ଗେମ୍ ଓ ନକ୍ଆଉଟ୍ ମ୍ୟାଚ୍ ସମେତ ଅନ୍ୟ ମ୍ୟାଚ୍ରେ ଯୋଗ ଦେବାକୁ ସେ ବାରମ୍ବାର କାନାଡା, ମେକ୍ସିକୋ ଓ ଆମେରିକା ଯାତ୍ରା କଲେ । ତାଙ୍କର ଏହି ଐତିହାସିକ ୨୦୨୬ ବିଶ୍ୱକପ୍ ଯାତ୍ରାକୁ ଟ୍ରାକ୍ କରାଯାଇଥିଲା, ଯାହାର ତଥ୍ୟ ବିଶ୍ୱର ଧ୍ୟାନ ଆକର୍ଷଣ କରିଛି ।
ଟୁର୍ନାମେଣ୍ଟ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ଇନ୍ଫାଣ୍ଟିନୋ ଆମେରିକାରେ ଥିଲେ । ଗତ ୧୯ ତାରିଖ ଚୂଡ଼ାନ୍ତ ମ୍ୟାଚ୍ ପୂର୍ବରୁ ନ୍ୟୁୟର୍କ/ନ୍ୟୁଜର୍ସି ଷ୍ଟାଡିୟମ୍ର ପିଚ୍ରେ ଲାଇନ୍ ଟାଣିବାରେ ସାହାଯ୍ୟ କରୁଥିବା ତାଙ୍କୁ ଦେଖିବାକୁ ମିଳିଥିଲା । ମେକ୍ସିକୋ ସିଟିରେ ଆଜଟେକା ଷ୍ଟାଡିୟମ୍ରେ ଭରପୂର ଜୋଶ୍ର ସହ ସେ ନିଜର ବିଶ୍ୱକପ୍ ଯାତ୍ରା ଆରମ୍ଭ କଲେ । ଗତ ଜୁନ୍ ୧୧ରେ ସେଠାରେ ଫିଫା ବିଶ୍ୱକପ୍ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ପ୍ରଥମରୁ ଚୂଡ଼ାନ୍ତ ମ୍ୟାଚ୍ ପର୍ଯ୍ୟନ୍ତ ୩ ସଂଚାଳକ ଦେଶରେ ୯୫ ହଜାର କିମିରୁ ଅଧିକ ଦୂରତାର ଯାତ୍ରା ମଧ୍ୟରେ ଇନ୍ଫାଣ୍ଟିନୋ ୧୧୫ ଘଣ୍ଟା ବିମାନରେ ବିତାଇଛନ୍ତି । ଇତିମଧ୍ୟରେ ଟୁର୍ନାମେଣ୍ଟର ସମସ୍ତ ୧୬ ସ୍ଥାନରେ ୪୪ ମ୍ୟାଚ୍ ଦେଖିଛନ୍ତି । ଗତ ଜୁନ୍ ୨୬ରେ ସେ ସର୍ବାଧିକ ୫,୭୭୨ ମାଇଲ ଯାତ୍ରା କରିଥିଲେ । ଏହି ଦିନ ସେ ମିୟାମି, ଡଲାସ ଓ ସିଆଟଲ ମଧ୍ୟଦେଇ ମ୍ୟାଚ୍ରେ ଯୋଗ ଦେଇଥିଲେ । ମିୟାମିର ହାର୍ଡ ରକ୍ ଷ୍ଟାଡିୟମ୍କୁ ସେ ସର୍ବାଧିକ ଥର ଯାତ୍ରା କରିଥିଲେ ଏବଂ ୫ ମ୍ୟାଚ୍ରେ ଯୋଗ ଦେଇଥିଲେ ।
ଆହୁରି ପଢ଼ନ୍ତୁ...Trump Tariff : କାନାଡା ଉପରେ ୫୦ % ଟାରିଫ୍ ଲଦିଲେ ଟ୍ରମ୍ପ, ଶହେ ବର୍ଷ ପୁରୁଣା ଆଇନ୍ ଲାଗୁ
ଇନ୍ଫାଣ୍ଟିନୋଙ୍କ ଜେଟ୍ ଗଲ୍ଫଷ୍ଟ୍ରିମ୍ କ୍ରୀଡ଼ା ସଂଚାଳକ ସହରମାନଙ୍କର ମୁଖ୍ୟତଃ ପ୍ରମୁଖ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରା କରୁଥିଲା । କିଛି ଛୋଟ ବିମାନବନ୍ଦରରୁ ମଧ୍ୟ ଏହା ପରିଚାଳିତ ହେଉଥିଲା । ସେମିଫାଇନାଲ ପୂର୍ବରୁ ତାଙ୍କ ଜେଟ୍ ଉତ୍ତର ଆମେରିକା ମଧ୍ୟଦେଇ ୨୩ ଥର ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଥିଲା । କାତାର ଯାତ୍ରାକୁ ବାଦ୍ଦେଲେ ଗତ ଜୁନ୍ ୧୫ରେ ଅନୁଷ୍ଠିତ ବେଲଜିୟମ୍-ଇଜିପ୍ଟ ମ୍ୟାଚ୍ରେ ଯୋଗ ଦେବାକୁ ଇନ୍ଫାଣ୍ଟିନୋ ମିୟାମିରୁ ସିଆଟଲକୁ ୩୪୪ ମିନିଟ୍ର ଯାତ୍ରା କରିଥିଲେ, ଯାହା ଟୁର୍ନାମେଣ୍ଟରେ ତାଙ୍କର ଦୀର୍ଘତମ ଉଡ଼ାଣ ଥିଲା । ଅନ୍ୟପକ୍ଷେ, ଗତ ୬ ତାରିଖରେ ସିଆଟଲରୁ ଭାଙ୍କୁଭର୍କୁ ୨୮ ମିନିଟ୍ର ଉଡ଼ାଣ ତାଙ୍କର କ୍ଷୁଦ୍ରତମ ଯାତ୍ରା ଥିଲା । ତେବେ ଫିଫା ବିଶ୍ୱକପ୍ ଯାତ୍ରାକୁ ନେଇ ଇନ୍ଫାଣ୍ଟିନୋ ସମାଲୋଚନାର ଶିକାର ହୋଇଛନ୍ତି । ତାଙ୍କର ସର୍ବାଧିକ ବିମାନ ଯାତ୍ରା ପରିବେଶ ଉପରେ ପ୍ରଭାବ ପକାଇଛି । ଜଳବାୟୁ ବଶେଷଜ୍ଞ ଓ ପରିବେଶବିତ୍ମାନେ ତାଙ୍କୁ ଖୁବ୍ ସମାଲୋଚନା କରୁଛନ୍ତି । ଯାତ୍ରା ସମୟରେ ତାଙ୍କ ବିମାନ ୫୦୦ ଟନ୍ରୁ ଅଧିକ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡ଼ିଛି, ଯାହା ଦୀର୍ଘ ଦଶନ୍ଧି ଧରି ଜଣେ ହାରାହାରି ବ୍ୟକ୍ତିଙ୍କ ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନ ସହ ପ୍ରାୟତଃ ସମାନ ।