କର୍ଣ୍ଣୋଲ: ସୋମବାର, ଆନ୍ଧ୍ରପ୍ରଦେଶରେ ଏକ ଅଭିଶପ୍ତ ଅସମୟ ଗୋଟିଏ ସୁନେଲି ଭବଷ୍ୟତକୁ ସଲୀଳ ସମାଧି ଦେଇଦେଇଛି। କୁର୍ଣ୍ଣୂଲ ଜିଲ୍ଲାର କାଭାଡି ଷ୍ଟ୍ରିଟରେ ଥିବା କିର୍ତି ଇଂରାଜି ମାଧ୍ୟମିକ ସ୍କୁଲ... ପ୍ରାର୍ଥନା ସରିଥାଏ। ପାଠପଢା ସମୟ ଉପନୀତ ହେଉହେଉ ପିଲାଙ୍କ ପାଇଁ ଯେ ସ୍କୁଲର ଅବ୍ୟବସ୍ଥିତ ଭିତ୍ତିପ୍ରସ୍ଥର ଏକ କରୁଣ ପରିଣତି ଆଣିଦେବ ସେକଥା କିଏ ଜାଣିଥିଲା। ଆଖି ପିଛୁଳାକେ ଭୁଶୁଡି ପଡିଲା ବିଦ୍ୟାମନ୍ଦିରର କାନ୍ଥ। ଯେଉଁଥିପାଇଁ ଜଣେ ପାଞ୍ଚ ବର୍ଷର ଛାତ୍ରଙ୍କ ମୃତ୍ୟୁ ହେବା ସହ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା କାଭାଡି ଷ୍ଟ୍ରିଟରେ ଥିବା କିର୍ତି ଇଂରାଜି ମାଧ୍ୟମିକ ସ୍କୁଲରେ ଘଟିଥିବା ଜଣାପଡିଛି।

ସ୍ଥାନିୟ ଅଧିକାରୀ ଦେଇଥିବା ସୂଚନା ମୁତାବକ, ସୋମବାର ସ୍କୁଲର କେତେକ ଛାତ୍ରଛାତ୍ରୀ ଆସିବାରେ ବିଳମ୍ୱ କରିଥିଲେ। ଯେଉଁଥିପାଇଁ ସ୍କୁଲ କତ୍ତୃପକ୍ଷ ସେମାନଙ୍କୁ କ୍ଲାସ ବାହାରେ ଛିଡାହବାପାଇଁ କହିଥିଲେ। ହେଲେ ବିଧିର ବିଧାନ ବଡ ବଚିତ୍ର ଥିଲା। ପିଲାମାନେ ଯେଉଁ କାନ୍ଥ ପାଖରେ ଛିଡା ହୋଇଥିଲେ ତାହା ହଠାତ୍ ସେମାନଙ୍କ ଉପରେ ଭୁଶୁଡି ପଡିଥିଲା। ତେବେ ଉକ୍ତ ସ୍ଥାନରେ ଛିଡା ହୋଇଥିବା 5 ବର୍ଷିୟ ଛାତ୍ର ରକିବ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ଅବସ୍ଥା ଗୁରୁତର ହେବା ଯୋଗୁଁ ସେମାନଙ୍କୁ ସ୍ଥାନିୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା।

ତେବେ କେଉଁ ପରିସ୍ଥିତିରେ ଉକ୍ତ କାନ୍ଥ ଭୁଶୁଡି ପଡିଲା ତାହା ଜଣାପଡିପାରିନାହିଁ। ଅନ୍ୟପଟେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଛାତ୍ରଛତ୍ରୀମାନଙ୍କର ଅବସ୍ଥା ସମ୍ପର୍କରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।  

ସମାନ ଘଟଣାକ୍ରମେ ଚଳିତ ବର୍ଷ ଜୁନ ମାସରେ କର୍ଣ୍ଣାଟକର ଗଡାଗ ଜିଲ୍ଲାରେ ଏକ ସରକାରୀ ସ୍କୁଲର ସିଲିଂ ଖସିବା ଯୋଗୁଁ ଦୁଇଜଣ ଛାତ୍ର ଓ ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଉକ୍ତ ଶ୍ରେଣୀଗୃହରେ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ପାଠ ପଢାଉଥିବା ବେଳେ ହଠାତ୍ କାନ୍ଥର ସିଲିଂ ଖସିପଡିଥିଲା। ଯେଉଁଥିପାଇଁ ଶିକ୍ଷକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଦୁଇଜଣ ଛାତ୍ର ସାମାନ୍ୟ ଆହତ ହୋଇଥିଲେ।