ମାଟିର ରଙ୍ଗ କଳା। କୋଇଲାର ରଙ୍ଗ ବି କଳା । କଳା ବିରାଡ଼ି ରାସ୍ତା କାଟିଲେ ଅଶୁଭ କଳା ଶନିଙ୍କ ପ୍ରତୀକ। କଳା ଏକ ନକାରାତ୍ମକ ଦିଗ ବୋଲି ପ୍ରାୟତଃ ସମସ୍ତେ ଚିନ୍ତା କରୁ । ଅନେକ ଘରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ମନା । କଳା ରଙ୍ଗ ପ୍ରତି ଆମର ବିମୁଖ ଭାବ । ଆଉ ଛାଇର ରଙ୍ଗ ବି କଳା । ଦୁନିଆର ଅନେକ ଜିନିଷର ରଙ୍ଗ ବଦଳି ଯାଇପାରେ କିମ୍ବା ବଦଳା ଯାଇପାରେ । କିନ୍ତୁ ଛାଇର ରଙ୍ଗ ବଦଳିନି କି ବଦଳାଯାଇ ପାରିବନାହିଁ । ଛାଇ ସବୁବେଳେ କଳା । ତୀବ୍ର ଆଲୋକରେ ବି ସେ କଳା । କ୍ଷୀଣ ଆଲୋକରେ ବି ତାର ରଙ୍ଗ କଳା । ରଙ୍ଗୀନ ଆଲୁଅ ଭିତରେ ବି ଛାଇର ରଙ୍ଗ କେବଳ କଳା । କଳା ରଙ୍ଗ ସେଇ ଛାଇରେ ଅନେକ କଥା । ସେ ନିଜର ଅବିକଳ ଅବତାର । ଅନେକେ ଏହାକୁ ଅନ୍ଧକାରର ପ୍ରତୀକ ଭାବେ ଦେଖନ୍ତି । କିନ୍ତୁ ବାସ୍ତବରେ ଏହି ରଙ୍ଗ ହେଉଛି ଗଭୀରତା, ଧ୍ୟାନ ଓ ଆତ୍ମାନୁସନ୍ଧାନର ଛାୟା । ଯେପରି ଚିତ୍ର ମଧ୍ୟରେ କଳା ରଙ୍ଗ ନଥିଲେ ସେହି ଚିତ୍ର ଅପୂର୍ଣ୍ଣ ଲାଗେ, ସେପରି ଜୀବନରେ ଦୁଃଖ, ଛାଇ ଓ ଅନ୍ଧକାର ନଥିଲେ ସେହି ଜୀବନ ମଧ୍ୟ ଅର୍ଥହୀନ ହୋଇଯାଏ । ଛାଇ ଆମକୁ ଅନେକ କିଛି ଦେଖାଏ । ଜୀବନର ବାସ୍ତବ ସତ୍ୟକୁ ଚିହ୍ନାଏ । ସେ କହେ ଜୀବନ ଅନନ୍ତ ନୁହେଁ । କିନ୍ତୁ ଅନନ୍ତ ହୋଇପାରେ ।

ଜୀବନକୁ ନିଜ କାମ, ସେବା ଓ ପ୍ରେମ ମାଧ୍ୟମରେ ଜଳାଇ ପାରିବା, ତେବେ ଆମ ଛାଇ ମଧ୍ୟ ଜଗତରେ ଗାନ କରିବ । ଛାଇ ଶାନ୍ତ ଓ କଳା ହୋଇପାରେ, ଅଥଚ ତାର ସୁର ଅମର । ଜୀବନରେ ଯେତେ ରଙ୍ଗ ଭରିପାରୁଛ ଭରିଦିଅ । କିନ୍ତୁ ଛାଇ ହେଉଛି କଳା । ଏହି କଳା ଛାଇ ହେଉଛି ଜୀବନର ଏକ ତତ୍ତ୍ୱ । ଯାହା ଜଳିବା, ଶୋଷିବା ଓ ଶେଷରେ ନିଜକୁ ହାରିବାର ଗପ କହେ । ମଣିଷ ତା'ର ଜୀବନରେ ଯେତେ ରଙ୍ଗ ଭରେ ଶେଷରେ ସେ କଳାକୁ ହିଁ ପାଏ । ଆଶା, ଆକାଂକ୍ଷା, ସଫଳତା, ମନୋଭାବ ସେସବୁ ରଙ୍ଗ ଅଗ୍ନିଶିଖା ପରି ଜଳେ । ସମୟ ତା'କୁ ଜଳାଇ ଚାଲେ । ତା' ପରେ ରହିଯାଏ ଏକ ଅସ୍ଥିର ସ୍ମୃତି । ଏକ ଧୂସର ଛାଇ । ଯାହାର ରଙ୍ଗ କଳା । କଳା ରଙ୍ଗ ଏଠି ଅନ୍ଧକାରର ପ୍ରତୀକ ନୁହେଁ । ବରଂ ଅନୁଭବର ସଂଚୟ । ଜଳିଥିବା ମାନସିକ ଯନ୍ତ୍ରଣା, ପ୍ରେମ, ବିଦାୟ ଓ ଆଶା ସବୁ ମିଶି ହୋଇ ରହିଥାଏ ଏକ ଦାଗ ଭଳି ରଙ୍ଗରେ । କଳା ରଙ୍ଗର ଛାଇ ଆମକୁ ଶିଖାଏ ଜୀବନର ରଙ୍ଗ ସ୍ଥାୟୀ ନୁହେଁ । ଯାହା ଆଜି ଦୀପ୍ତିମାନ, ସେ କାଲି ଧୂଳିରେ ମିଶିଯିବ । କିନ୍ତୁ ଏହି ମିଶିଯିବା ମଧ୍ୟରେ ରହିଛି ନିଜକୁ ପୁନର୍ଜନ୍ମ ଦେବାର ଶକ୍ତି ।

ଏହି ପୃଥିବୀରେ ଯେଉଁମାନେ ଅତି ଦୀପ୍ତିମାନ ସେମାନେ ମଧ୍ୟ କେବେନା କେବେ ଛାଇ ହୋଇଯାନ୍ତି । ଛାଇ ହେଉଛି ତା'ର ଜୀବନର ସାକ୍ଷୀ । ସେ ଜଳିଥିଲା, ଆଲୋକ ଦେଉଥିଲା । ସ୍ଥିର ହେଲା ଓ ସରିଗଲା । ଭଲ ଥିଲା ନା ଖରାପ ଥିଲା । ଏକ ଛାଇ ରହିଯାଏ ମାନସପଟରେ ସେଇ ଦିପ୍ତୀମାନଙ୍କ ସଜଳ ସ୍ମୃତି ହୋଇ । ଛାଇର ରଙ୍ଗ କଳା । କିନ୍ତୁ ତା'ର ଅର୍ଥ ଅନେକ ରଙ୍ଗର । ତା'ର ମଧ୍ୟରେ ଲୁଚିଛି ସବୁ ରଙ୍ଗର କାହାଣୀ । ଏହି ରଙ୍ଗ ହେଉଛି ଜୀବନର ଦାଗ । ତଥାପି ସେଇ ଦାଗ ହେଉଛି ଅସ୍ତିତ୍ୱର ମହିମା । ସବୁ ଧ୍ୱଂସର ରଙ୍ଗ କଳା । ସବୁ ଜଳିବାର ରଙ୍ଗ ଅଲଗା । ଜଳି ପୋଡ଼ିବା ପରର ଅବଶେଷ କଳା ନିଶ୍ଚିତ । ଜୀବନ ବି ସେଇ ଏକା । ଜୀବନ ତମାମ ସବୁ ରଙ୍ଗ ମନ ଓ ପ୍ରାଣକୁ ରଙ୍ଗୀନ କରେ । ଶେଷରେ ସେଇ ଅମୁହାଁ ବାଟକୁ ଟାଣିନିଏ । ସେ ପଥରେ ଘନ ଅନ୍ଧାକାର । ଆଲୁଅର ସନ୍ଧାନରେ ବହଳ ଅନ୍ଧାର ଆମ ଭିତରେ ଲେସି ହୋଇଯାଏ । ଅନ୍ଧାର ଅଛି ବୋଲି କାଳେ ଆଲୁଅ ଅଛି । କଳା ଅଛି ବୋଲି ଧଳା ଅଛି । ରାତି ପାହିଲେ ସକାଳ ଆସୁଛି । ସୂର୍ଯ୍ୟ ଅସ୍ତଗଲେ ଅନ୍ଧାର ମାଡ଼ି ଆସୁଛି । ଆଉ ଆଲୁଅ ପଡ଼ିଲେ ନିଜ ଛାଇ ନିଜ ନିକଟରେ ଉଭା ହେଉଛି । ଛାଇର ଆକାର ବଦଳିପାରେ କିନ୍ତୁ ରଙ୍ଗ ସ୍ଥିର । ତାହା ସଦାକାଳେ କଳା । ମଣିଷ ଜୀବନ ଛାଇ ଆଲୁଅର ଖେଳ । ଆଲୁଅକୁ ଭଲ ପାଉ ବୋଲି ବେଶି ବେଶି ନାଟ କରୁ । ଅନ୍ଧାର ଭିତରେ କେତେବେଳେ ନିରବିଯାଉ ପୁଣି କେତେବେଳେ ଅତିମାତ୍ରାରେ ଉତ୍ପାତ କରୁ ।

ମଣିଷ ଜୀବନର ସବୁତକ ପୁଣ୍ୟ ବାଣ୍ଟିବାକୁ ଚେଷ୍ଟା କରେ ବିଭିନ୍ନ ମାର୍ଗରେ । ଦାନ, ଧର୍ମ , ସାହାଯ୍ୟ, ସହଯୋଗ, ମିଷ୍ଟ ଭାଷା, ସେବା ଜରିଆରେ ପୁଣ୍ୟ ଅର୍ଜନ କରେ । ଅନ୍ୟକୁ ଦେଖାଏ ତାର ମହତପଣିଆ । ଲୋକେ ବି ବାହାବା କରନ୍ତି ମଣିଷର ଅଦ୍ଭୁତ ସେବାପଣରେ । କିନ୍ତୁ ମଣିଷ ଯେତକ ପାପ କରେ ତାକୁ ବାଣ୍ଟିପାରେନି । ତାର ଭାଗିଦାର କେହି ହୋଇପାରେନା । ଅନେକ ପାପକୁ ସେ ଏକା କରେ ନିରବରେ ଓ ସମସ୍ତଙ୍କ ଅଲକ୍ଷ୍ୟରେ । ତାର ହିସାବ କେହି ରଖିପାରେନା । ଅନ୍ଧାର ଭିତରେ ଅନେକ ପାପର ମୂର୍ତ୍ତି ଗଢ଼ିପାରେ ମଣିଷ । ଅନ୍ଧାର ଭିତରେ କେହି ଦେଖିନପାରିବାର ବାହାଦୁରୀରେ ନିଜ ମନକୁ ମନ ଆଶ୍ୱାସନା ଦେଇପାରେ ଓ ଅନ୍ୟ ପ୍ରତି ଛଳନା କରେ । ସବୁକିଛି ବି ସଫଳ ଓ ସମ୍ଭବ ହୋଇପାରେ । ଜଣେ କିନ୍ତୁ ସବୁ କର୍ମର ସାକ୍ଷୀ ରହେ । ସେ ହେଉଛି ନିଜ ଛାଇ । ଛାଇ ମଣିଷକୁ ଛାଡ଼ିପାରେନା । ଅନ୍ଧାର ଭିତରେ ବି ଲୁଚିରହେ । ଆଲୁଅରେ ନିଜ ସହ ଉଦ୍ଭାସିତ ହୁଏ । ତାକୁ କିଛି ଲୁଚେଇବା ସହଜ ନୁହେଁ । ନିଜର ଅବିକଳ କଳା ରଙ୍ଗର ଛାଇ ଭିତରେ ପାପ-ପୁଣ୍ୟର ହିସାବ କରିଚାଲେ । ଆଉ ଅନେକ ସମୟରେ କଡ଼ାଗଣ୍ଡାର ହିସାବ ଦେଇ ତାକୁ ଫେରାଇଥାଏ ପୁଳାଏ ବ୍ୟର୍ଥତା, ଚିନ୍ତା ଓ ବିସ୍ତାପ । ଛାଇ ଥରେ ପାପର ହିସାବକୁ ଉଦଗୀରଣ କଲେ ମଣିଷ ବାକିତକ ଜୀବନ ଛଟପଟରେ ବଞ୍ଚେ । ଛାଇ ତାକୁ ବଞ୍ଚିବାକୁ ଦିଏନି । ଟିକିଏ ଏକଲା ହେଲେ ତାର ପାଖେ ପାଖେ ତାଣ୍ଡବ କରି ପଛ କଥାକୁ ହେଜେଇଦିଏ । ମଣିଷ ଲୁଚାଇ ରଖିଥିବା ଅନେକ କଥା ନାଚ କରେ । ସେତେବେଳେ କହିପାରେନା କି ସହିପାରେନା । ସମୟ ସହଜରେ ବଞ୍ଚିବାକୁ ଛାଡ଼ି ଦେଇପାରେନା ।

ଗ୍ଳାନି, ପଶ୍ଚାତାପ, ବିରକ୍ତି, ଅସହାୟତା ଧୀରେ ଧୀରେ କବଳିତ କରେ ସମଗ୍ର ମଣିଷର ସତ୍ତାକୁ । ଗହଳି ଭିତରେ ଏକୁଟିଆ ଲାଗେ । ଏକଲାପଣର ରାଜୁତିରେ ଜୀବନ ନିର୍ବେଦ ପାଲଟିଯାଏ । ମଣିଷ କାହାକୁ ନା କାହାକୁ ଡରିବା ଲୋଡ଼ା । କାହା ପାଖରେ ନହେଲେ ବି ଛାଇ ପାଖରେ ହାରିବା ଲୋଡ଼ା । ଛାଇ ପାଖରେ ହାରୁଥିବା ମଣିଷର ଉତ୍ତରଣ ଘଟେ । ହାରିବା ପରେ ଜିତିବାର କଳା ଓ ଜିତିବା ପରେ ସ୍ଥିତପ୍ରଜ୍ଞ ରହିବାର ମନ୍ତ୍ର ଦିଏ ଛାଇ । ମଣିଷପଣିଆର ବାଟ ଦେଖାଏ ଛାଇ । ଜୀବନର ବାସ୍ତବ ରଙ୍ଗକୁ ଚିହ୍ନାଏ । ଛାଇ ଅମୂଳକ କଥା କୁହେନି କି ବିବିଧ ରଙ୍ଗକୁ ଆବୋରି ଧରେନି । ଠିକ୍‌ କହେ ଓ ଠିକ୍‌ ଦେଖାଏ । ମଣିଷ ପରି ଛାଇ ରଙ୍ଗ କେବେ ବଦଳାଇ ପାରେନି । କାରଣ ଛାଇ ରଙ୍ଗ ପରା କଳା ସେମିତି ସବୁଠି।

a​​​​​​​