ମୁମ୍ବାଇ,୦୬/୧୧: ଡିଜାଇନର୍‌ ମନୀଷ ମଲହୋତ୍ରାଙ୍କ ଆଗାମି ରୋମାଣ୍ଟିକ୍‌ ଫିଲ୍ମ ‘ଗୁସ୍ତାଖ୍‌ ଇଶ୍କ’ର ରିଲିଜ୍‌ ତାରିଖ ଘୁଞ୍ଚିଲା । ବିଜୟ ବର୍ମା ଓ ଫାତିମା ସନା ଶୈଖଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ୨୧ ତାରିଖରେ ରିଲିଜ୍‌ ହେବାର ଥିଲା, କିନ୍ତୁ ନିର୍ମାତା ସୋସିଆଲ ମିଡିଆରେ ଏହାର ନୂଆ ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ୨୮ ତାରିଖରେ ଫିଲ୍ମଟି ସିନେମାଘରକୁ ଆସିବ । 

ନିର୍ମାତା ଏଥିସହିତ ଫିଲ୍ମର ଏକ ନୂଆ ପୋଷ୍ଟର୍‌ ସେୟାର କରିଛନ୍ତି, ଯେଉଁଥିରେ ବିଜୟ ଫାତିମାଙ୍କୁ ପ୍ରେମପୂର୍ଣ୍ଣ ନଜରରେ ଚାହିଁଛନ୍ତି । ପ୍ରଚ୍ଛଦରେ ଫିଲ୍ମର ‘ଉଲ୍‌ ଜଲୁଲ ଇଶ୍କ’ ଗୀତ ଶୁଣିବାକୁ ମିଳୁଛି । ବିଜୟ ଓ ଫାତିମାଙ୍କ ସହିତ ନସୀରୁଦ୍ଦିନ ଶାହ ଓ ଶରିବ ହାଶମି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ପୁରୁଣା ଦିଲ୍ଲୀର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ‘ଗୁସ୍ତାଖ ଇଶ୍କ’ର ଟିଜର୍‌ରେ ରେଟ୍ରୋ ରୋମାନ୍ସ ଭାଇବ୍‌ ଦେଖିବାକୁ ମିଳିଥିଲା । ମନୀଷ ମଲହୋତ୍ରାଙ୍କ ଷ୍ଟେଜ୍‌୫ ପ୍ରଡକ୍ସନ୍‌ ହାଉସ୍‌ ଅଧୀନରେ ଫିଲ୍ମଟି ପ୍ରସ୍ତୁତ ହୋଇଛି, ଯାହା ତାଙ୍କର ପ୍ରଥମ ପ୍ରଯୋଜିତ ପ୍ରୋଜେକ୍ଟ । ନିର୍ଦ୍ଦେଶନା ଦେଇଛନ୍ତି ବିଭୂ ପୁରୀ ।