ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କାକିନାଡାରେ ବାତ୍ୟା ମୋନ୍‌ଥାର ପ୍ରଭାବ ଅନୁଭୂତ ହେବାରେ ଲାଗିଲାଣି। ବାତ୍ୟା ଯୋଗୁଁ କାକିନାଡାରେ ସମୁଦ୍ର ଅଶାନ୍ତ ହୋଇପଡିଛି। ମଙ୍ଗଳବାର ବିଳମ୍ୱିତ ରାତିରେ କାକିନାଡା ନିକଟସ୍ଥ ମଛଲିପଟନମ୍ କିମ୍ୱା କଳିଙ୍ଗପଟନମ୍ ମଧ୍ୟରେ ବାତ୍ୟା ମୋନ୍‌ଥା ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ସମ୍ପ୍ରତି ବାତ୍ୟା ସମ୍ପର୍କରେ ବିଶାଖାପାଟଣା ସାଇକ୍ଲୋନ୍ ସତର୍କତା କେନ୍ଦ୍ରର ଜଣେ ଅଧିକାରୀ ଜଗନ୍ନାଥ କୁମାର ସୂଚନା ଦେଇ କହିଛନ୍ତି ଯେ, "ବର୍ତ୍ତମାନ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ବର୍ତ୍ତମାନ କାକିନାଡାର ଦକ୍ଷିଣ-ଦକ୍ଷିଣପୂର୍ବରେ ପ୍ରାୟ ୧୪୦ କିଲୋମିଟର, ମଛଲିପାଟନମରୁ ୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୨୩୦ କିଲୋମିଟର ଏବଂ ଓଡ଼ିଶାର ଗୋପାଳପୁରର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୭୦ କିଲୋମିଟର ଦୂରରେ ରହି ଧିରେଧିରେ ଉପକୂଳ ମୁହାଁ ହେବାରେ ଲାଗିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ଆଜି ମଧ୍ୟ ରାତି ସୁଦ୍ଧା ମଛଲିପାଟନମ ଏବଂ କଳିଙ୍ଗପାଟନମ ମଧ୍ୟରେ କାକିନାଡା ପାଖାପାଖି ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟା ଯୋଗୁଁ ସର୍ବାଧିକ ଘଣ୍ଟା ପ୍ରତି କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।"

ମଙ୍ଗଳବାର ଦିନ ବାତ୍ୟା ମୋନ୍‌ଥା ଯୋଗୁଁ ବିଶାଖାପାଟନମ ବିମାନବନ୍ଦରରୁ ଚଳାଚଳ କରୁଥିବା ସମସ୍ତ ୩୨ଟି ବିମାନକୁ ବାତିଲ କରାଯାଇଛି। ଏନେଇ ବିଶାଖାପାଟନମ ବିମାନବନ୍ଦରର ନିର୍ଦ୍ଦେଶକ ଏନ. ପୁରୁଷୋତମ କହିଛନ୍ତି ଯେ, ଅକ୍ଟୋବର ୨୭ ତାରିଖରେ ଦୁଇଟି ଏୟାର ଇଣ୍ଡିଆ ଏକ୍ସପ୍ରେସ ଉଡ଼ାଣ ବାତିଲ କରାଯାଇଥିଲା। "ପ୍ରକୃତରେ, ଆମେ ପ୍ରତିଦିନ ୩୦ ରୁ ୩୨ ଟି ଉଡ଼ାଣ (ଘରୋଇ ଏବଂ ଆନ୍ତର୍ଜାତୀୟ) ପରିଚାଳନା କରୁ। ଆଜି, ସେହି ସମସ୍ତ ଉଡ଼ାଣ ବାତିଲ କରାଯାଇଛି," ବୋଲି ପୁରୁଷୋତମ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI)ଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବତ୍ୟାକୁ ଏଡାଇବା ପାଇଁ ବିମାନବନ୍ଦର ସତର୍କତା ଅବଲମ୍ବନ କରିଛି। ଯେଉଁଥିରେ ବାତ୍ୟା ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ସାମିଲ ରହିଛି।

ସେହିପରି ବିଜୟୱାଡା ବିମାନବନ୍ଦର ଆଜି ୧୬ଟି ଉଡ଼ାଣ ବାତିଲ କରିଥିଲା, କିନ୍ତୁ ପାଞ୍ଚଟି ଉଡ଼ାଣ ପାଇଁ ଅନୁମତି ପ୍ରଦାନ କରିଥିଲା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବିମାନ କମ୍ପାନୀଗୁଡ଼ିକ ଆଜି ପାଇଁ କାର୍ଯ୍ୟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଆସନ୍ତାକାଲିର ଉଡ଼ାଣ ପରିଚାଳନା ସମ୍ପର୍କରେ ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛନ୍ତି। ସେହିପରି ତିରୁପତି ବିମାନବନ୍ଦରରେ ଚାରୋଟି ଉଡ଼ାଣ ବାତିଲ କରାଯାଇଥିଲା। ଏହି ସମୟରେ, ଜଣେ ରେଳ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (SCR) ଜୋନରେ ମୋଟ ୧୨୦ଟି ଟ୍ରେନ ବାତିଲ କରାଯାଇଛି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୋନ୍‌ଥାର ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ଲୋକ ସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶାର ମୁଖ୍ୟ ସଚିବ ମନୋଜ ଆହୁଜା, ଏସଆରସି ଡି.କେ. ସିଂହ, ଡିଜିପି ଯୋଗେଶ ବାହାଦୁର ଖୁରାନା, ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଢ଼ଙ୍ଗୀ, ଆଇଏମଡି ନିର୍ଦ୍ଦେଶକ ମନୋରମା ମହାନ୍ତି ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ଅଞ୍ଚଳର ଜିଲ୍ଲା ମାଜିଷ୍ଟ୍ରେଟମାନେ ମଧ୍ୟ ଭର୍ଚୁଆଲ୍ ଭାବରେ ବୈଠକରେ ଯୋଗ ଦେଇଥିଲେ।

ଭୁବନେଶ୍ୱର ପାଣିପାଗ ବିଭାଗର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ବାତ୍ୟା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, "ବାତ୍ୟା ମୋନ୍‌ଥା ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବସ୍ଥିତ ରହିଥିବା ବେଳେ ଗୋପାଳପୁରରୁ ପ୍ରାୟ ୪୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଅବସ୍ଥିତ ରହିଛି। ଏହା ଉତ୍ତର ଉତ୍ତର-ପଶ୍ଚିମକୁ ଗତି କରିବାରେ ଲାଗିଛି ଏବଂ ଆଜି ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ଉତ୍ତର ଉତ୍ତର-ପଶ୍ଚିମକୁ ଗତି କରିବା ସହ ଆଜି ରାତି ସୁଦ୍ଧା କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି। ଓଡ଼ିଶା ପାଇଁ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ଯେଉଁଠାରେ ବର୍ଷା ଏବଂ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଏହାସହ ଲୋକଙ୍କୁ ସତର୍କତା ପାଇଁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।"

ସୋମବାର ଦିନ ତାମିଲନାଡୁର ଚେନ୍ନାଇ, ତିରୁଭଲ୍ଲୁର, ରାନିପେଟ ଏବଂ କାଞ୍ଚିପୁରମରେ ପ୍ରବଳ ବର୍ଷା ହୋଇଛି। ସୁରକ୍ଷା ଦୃଷ୍ଟିରୁ ଚେନ୍ନାଇ ଏବଂ ତିରୁଭଲ୍ଲୁରରେ ସ୍କୁଲ ବନ୍ଦ ରଖାଯାଇଛି। ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଓଡ଼ିଶାର ମାଲକାଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଭଳି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। ଏହାସହ ପ୍ରଭାବିତ ଜିଲ୍ଲାରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। NDRF ଏବଂ SDRFର ପ୍ରାୟ ୧୪୦ ଟି ଦଳ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି। ଏହାଛଡା ମୋଟ୍ ୧୧ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡି ଛୁଟି ଘୋଷଣା କରାଯାଇଛି।