କଟକ,୨୨/୧୦ : କଟକ ମହାନଗର ନିଗମ (ସିଏମ୍‌ସି)ରେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରା ପରିଚାଳନାରେ ଦୁର୍ନୀତି ପାଇଁ ସାଂଘାତିକ ଉଦ୍ୟମ ଚାଲିଛି । କାରଣ ଲୋକଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ଟେଣ୍ଡର୍‌ ମାଧ୍ୟମରେ ଭଡ଼ା ସୂତ୍ରରେ ଆସୁଥିଲାବେଳେ ସଫେଇ ପାଇଁ ଏଥର ବି ବିନା ଟେଣ୍ଡର୍‌ରେ ନିର୍ଦ୍ଦିଷ୍ଟ ସଂସ୍ଥାକୁ ନିୟୋଜିତ କରିବାକୁ ଚାଲିଛି ଷଡ଼ଯନ୍ତ୍ର । ତେବେ ବାଲିଯାତ୍ରାକୁ ନେଇ ବିଭିନ୍ନ ଯୋଜନା ସିଏମ୍‌ସି ସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ବୈଠକରେ ଅନୁମୋଦନ କରାଯାଇଥିଲାବେଳେ ଏହି ପ୍ରସଙ୍ଗରେ କୌଣସି ଆଲୋଚନା କରା ନ ଯିବା ସନ୍ଦେହ ସୃଷ୍ଟି କରିଛି ।

ସବୁଠୁ ବଡ କଥା ହେଉଛି ଯେ, ଶୌଚାଳୟ ସଫେଇ କାର୍ଯ୍ୟ ନିର୍ଦ୍ଧିଷ୍ଟ ସଂସ୍ଥାକୁ ଦେବା ପାଇଁ ଏବେ ଅଧିକାରୀଙ୍କ ଉପରେ କର୍ପୋରେଟର ଚାପ ସୃଷ୍ଟି କରୁଥିବା ସିଏମ୍‌ସିରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିବର୍ଷ ବାଲିଯାତ୍ରାରେ ସିଏମ୍‌ସି ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଯାଇଥାଏ । ଏଥିରେ ସାନିଟେସନ୍‌ରୁ ନେଇ ଶୌଚାଳୟ ଆଦି ସେବା ପ୍ରଦାନ କରିଥାନ୍ତି କର୍ତ୍ତୃପକ୍ଷ । ବିଶେଷକରି ଲୋକଙ୍କ ପାଇଁ ନଦୀ କୂଳରେ ଶହେରୁ ଅଧିକ ଅସ୍ଥାୟୀ ଶୌଚାଳୟ ସ୍ଥାପନ କରିଥାଏ ସିଏମ୍‌ସି । ଏହି କ୍ରମରେ ଗତ ୨୦୨୪ ମସିହା ବାଲିଯାତ୍ରାରେ ସିଏମ୍‌ସି ଗୋଟାକ ୧୯ ହଜାର ୭ ଶହ ଟଙ୍କା ହିସାବରେ ପୁଣି ୨୦୦ଟି ଶୌଚାଳୟ ୩୯ ଲକ୍ଷ ୪୦ ହଜାର ଟଙ୍କାରେ ଭଡାରେ ଆଣିଥିଲା । ଏସବୁରେ ଶୌଚାଳୟ ସ୍ଥାପନ ସାଙ୍ଗକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲାବେଳେ ଏଥିରେ ସିଏମ୍‌ସି ବିନା ଟେଣ୍ଡର୍‌ରେ ନିର୍ଦ୍ଦିଷ୍ଟ ସଂସ୍ଥାକୁ କର୍ପୋରେଟରଙ୍କ ଚାପରେ ପଡି କାମ ଦିଆଯାଇଥିଲା । ସେଥିରେ ପୁଣି ବାଲିଯାତ୍ରା ସମୟରେ କୌଣସି ଶୌଚାଳୟ ସଫା ନ ହେବା ସହିତ ଅନେକ ସ୍ଥାନରେ ସ୍ୱାସ୍ଥ୍ୟ ବିଭାଗର ସବୁ କର୍ମଚାରୀ ଓ ମଳ ସଫା ଗାଡିକୁ ବ୍ୟବହାର କରାଯାଇଥିଲା । ଏସବୁକୁ ନେଇ ବିରୋଧ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ କମିଟିରୁ ଆରମ୍ଭ କରି କର୍ତ୍ତୃପକ୍ଷ ସମସ୍ତେ ନୀରବ ରହି ଲକ୍ଷାଧିକ ଟଙ୍କା ବିଲ୍‌ କରିଦେଇଥିଲେ ।

ଏହାବାଦ୍‌ ଚଳିତ ବର୍ଷ ସିଏମ୍‌ସି ଗୋଟାକ ୧୮ ହଜାର ୭ ଶହ ଟଙ୍କା ହିସାବରେ ୧୩୦ଟି ଶୌଚାଳୟକୁ ୨୪ ଲକ୍ଷ ୩୧ ହଜାର ଟଙ୍କାରେ ଭଡାରେ ଆଣିବାକୁ ଟେଣ୍ଡର୍‌ କରିଛି । କିନ୍ତୁ ତାହାର ସଫେଇ ପାଇଁ ପୁଣି ଉକ୍ତ ସଂସ୍ଥାକୁ ବିନା ଟେଣ୍ଡର୍‌ରେ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ଲକ୍ଷାଧିକ ଟଙ୍କାର କାର୍ଯ୍ୟକୁ କିଭଳି ବିନା ଟେଣ୍ଡର୍‌ରେ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଲାଭବାନ କରିବାକୁ ଦାୟିତ୍ୱି ଦିଆଯାଉଛି ଓ ତାହା ପୁଣି ଦୁଇ ବର୍ଷ ହେଲା ଲଗାତାର ଭାବେ ହେଉଥିଲାବେଳେ ସବୁ ଦେଖି ମଧ୍ୟ ଜିଲ୍ଲା ପ୍ରଶାସନ ଓ କମିସନର ଚୁପ୍‌ ରହିବା ବଡ ପ୍ରଶ୍ନବାଚୀ । ଏ ନେଇ କମିସନର କିରନଦୀପ କୌର ସହୋତାଙ୍କ ପ୍ରତିକ୍ରିୟା ଆଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା ।