​​​​​​​ଚମ୍ପୁଆ,୨୮୧୦(ଆପ୍ର) :  ସାରା ରାଜ୍ୟ ରେ ସମ୍ଭାବ୍ୟ ବାତ୍ୟା ମୋନ୍‌ଥା  ପ୍ରଭାବ ରେ କୋହଲା ପାଗ ସାଙ୍ଗକୁ ପବନ ଓ ବର୍ଷା ଲାଗି ରହିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ  ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ବିରାଟ କୃଷ୍ଣଚୂଡା ଗଛ ଉପୁଡି ପଡିଛି । ଗଛଟି ଉପୁଡି ବିଦ୍ୟାଳୟ ଉପରେ ପଡିଛି। ତେବେ ଏଥି ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।

ମଙ୍ଗଳବାର ଅପରାହ୍ନରେ ବିଦ୍ୟାଳୟ ଗେଟ ନିକଟରେ ଥିବା ବିରାଟ କୃଷ୍ଣଚୂଡା ଗଛଟି ଉପୁଡି ନିକଟରେ ଥିବା ବିଦ୍ୟାଳୟର ଷ୍ଟୋର ରୁମ ଉପରେ ପଡ଼ିଥିଲା । ଏହି ସମୟରେ ବିଦ୍ୟାଳୟରେ ପାଠପଢ଼ା ଚାଲିଥିଲା । ଗଛ ପଡିବା ଶବ୍ଦ ଶୁଣି ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନେ ଭୟଭୀତ ହୋଇ ଶ୍ରେଣୀ ଗୃହରୁ ବାହାରି ଆସିଥିଲେ । ବିଦ୍ୟାଳୟ  ଫାଟକ ର ଗୋଟେ ପଟେ ଛାତ୍ରାବାସ ଓ ଅନ୍ୟପଟେ ଷ୍ଟୋର ରୁମ ରହିଥିବା ବେଳେ ସମ୍ମୁଖରେ ୨୦ ନଂ ଜାତୀୟ ରାଜପଥ ଯାଇଛି। ତେବେ ଗଛଟି ଷ୍ଟୋର ରୁମ ଉପରେ ପଡିବାରୁ ବିରାଟ ଅଘଟଣ ଟଳିଯାଇଛି । ବାତ୍ୟା ମୋନ୍ଥାର ପ୍ରଭାବରେ  ଚମ୍ପୁଆ ଅଞ୍ଚଳରେ ହାଲୁକା ପବନ ବହିବା ସହ ପାଗ କୋହଲା  ରହିଛି।