ନୂଆଦିଲ୍ଲୀ,୦୩/୧୧: ବିଶ୍ୱରେ ଏବେ ପୁଣି ପରମାଣୁ ରେସ୍‌ ଜୋର ହୋଇଥିବା ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି କି, ଲୁଚିଛପି ପାକିସ୍ତାନ ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଛି । ପରମାଣୁ ବୋମା ପରୀକ୍ଷା କରୁଥିବା ଦେଶମାନଙ୍କ ମଧ୍ୟରେ ରହିଛି ପାକିସ୍ତାନ । ଚୀନ, ରୁଷ, ଉତ୍ତର-କୋରିଆ ଏବଂ ପାକିସ୍ତାନ ସମେତ ଅନେକ ଦେଶ ପରମାଣୁ ପରୀକ୍ଷଣ କରୁଛନ୍ତି । ଏକ ସାକ୍ଷାତକାରରେ ବଡ଼ ବୟାନ ଦେଇ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଏହାପରେ ପରମାଣୁ ବୋମା ଭୟ ବଢିଛି । ଟ୍ରମ୍ପଙ୍କ ଟିପ୍ପଣୀ ଏପରି ସମୟରେ ଆସିଛି ଯେ ଗତ ସପ୍ତାହରେ କହିଥିଲେ କି ଯୁଦ୍ଧ ବିଭାଗକୁ ପରମାଣୁ ଅସ୍ତ୍ର ପରୀକ୍ଷଣ ନିର୍ଦ୍ଦେଶ ଦିଆଯାଇଛି । ଟ୍ରମ୍ପଙ୍କର ପୁଣି ଏହି ନୂଆ ଦାବି ଭାରତର ଚିନ୍ତା ବଢାଇପାରେ ।

CBS ନ୍ୟୁଜକୁ ୬୦ ମିନିଟ୍‌ର ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ସକ୍ରିୟ ଭାବରେ ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଥିବା ଦେଶମାନଙ୍କ ମଧ୍ୟରେ ରହିଛି ।  ଅନ୍ୟ ଦେଶମାନେ ମଧ୍ୟ ଏହାକୁ ବ୍ୟାପକ କରୁଛନ୍ତି । ଦରକାର ପଡିଲେ ଆମେରିକାକୁ ତା'ର ପରମାଣୁ ପରୀକ୍ଷଣ ପୁନଃ ଆରମ୍ଭ କରିବାକୁ ବାଧ୍ୟ କରିବାକୁ ପଡିବ । ରୁଷ, ଚୀନ୍, ଉତ୍ତର କୋରିଆ ଏବଂ ପାକିସ୍ତାନ ସମେତ ଅନେକ ଦେଶ ପରମାଣୁ ପରୀକ୍ଷଣ କରୁଛନ୍ତି, ଯେତେବେଳେ ଆମେରିକା ଏକମାତ୍ର ଦେଶ ଯିଏ ଏପରି କରୁନାହିଁ । ରୁଷ ଏବଂ ଚୀନ ପରୀକ୍ଷଣ କରୁଛନ୍ତି କିନ୍ତୁ ସେମାନେ ଏହା ବିଷୟରେ କଥା ହେଉନାହାଁନ୍ତି । ଆମେ ଏହା ବିଷୟରେ କଥା ହେବା । କାରଣ ତାଙ୍କ ପାଖରେ ପତ୍ରକାର ନାହାନ୍ତି ଯିଏକି ଏ ବିଷୟରେ ଲେଖିବେ । ଆମକୁ ଏହା ବିଷୟରେ କଥା ହେବାକୁ ପଡିବ । ମୁଁ ନିଶ୍ଚିତ ଭାବରେ କହୁଛି କି ଉତ୍ତର କୋରିଆ ଓ ପାକିସ୍ତାନ ବି ପରମାଣୁ ପରୀକ୍ଷଣ କରୁଛନ୍ତି । ଆମର ପାଖରେ ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ର ଅଛି । ବିଶ୍ୱକୁ ୧୫୦ ଥର ଉଡ଼ାଇ ଦେବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ପରମାଣୁ ଅସ୍ତ୍ର ଅଛି ।"

ଟ୍ରମ୍ପ ଆହୁରି ଦାବି କରିଛନ୍ତି କି, ''ଭାରତ-ପାକିସ୍ତାନ ମେରେ ପରମାଣୁ ଯୁଦ୍ଧମୁହାଁ ଥିଲେ । ଯାହାକୁ ଟାରିଫ୍ ଓ ଟ୍ରେଡ୍‌ ସାହାଯ୍ୟରେ ଅଟକାଇଥିଲି । ଯଦି ମୁଁ ଆଗକୁ ଆସି ନଥାନ୍ତି ଆଜି ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାନ୍ତା । ପରମାଣୁ ଅସ୍ତ୍ର କରୁଥିବା ଦେଶ ଏ ବିଷୟରେ କହିବେ ନାହିଁ । ସେମାନେ ଅଣ୍ଡରଗ୍ରାଉଣ୍ଡ ଟେଷ୍ଟ କରିଥାନ୍ତି । ଯେଉଁଠି ଲୋକଙ୍କୁ ଜଣାନଥାଏ ଟେଷ୍ଟରେ କଣ ହୁଏ । ସେଥିରେ କେବଳ  ଥରିବା ପରି ଅନୁଭବ ହୋଇଥାଏ ।''

​​​​​​​ଭାରତ ଏବେ କରିବ କ'ଣ ? ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍‌ ଏବେ ପରମାଣୁ ଅସ୍ତ୍ର ପରୀକ୍ଷଣ ଜାରି ରଖିବା କଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଖୁଲାସା ଭାରତ ପାଇଁ ନିଶ୍ଚିତ ପକ୍ଷେ ଚିନ୍ତାଜନକ । ଭାରତରେ ଅସ୍ଥରିତା ଦେଖା ଦେଇପାରେ । ବିଶେଷଜ୍ଞଙ୍କ ମୁତାବକ, ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ୍ତବ୍ୟ ଯଦି ବାସ୍ତବ, ତେବେ ଏହା ନିହାତି ଚିନ୍ତା ସୃଷ୍ଟି କଲାଭଳି ଘଟଣା । ଭାରତ ଅନ୍ତର୍ଜାତୀୟ ସ୍ତରରେ ପ୍ରଚଳିତ ‘ନୋ ଫାର୍ଷ୍ଟ ୟୁଜ୍‌ (ଏନ୍‌ଏଫ୍‌ୟୁ)’ ନୀତିକୁ ଅନୁପାଳନ କରୁଛି । ତା’ଛଡ଼ା ୧୯୯୮ରୁ ଏହା କୌଣସି ପରମାଣୁ ଅସ୍ତ୍ର ପରୀକ୍ଷା କରିନାହିଁ । ଏହାର କୌଣସି ଭିତିରିଆ ଯୋଜନା ବି କାର୍ଯ୍ୟକାରୀ ହେଉନାହିଁ । କାରଣ ଏହା ଏକ ଶାନ୍ତିପ୍ରିୟ ଦେଶ । ୨୦୨୫ ସୁଦ୍ଧା ଭାରତ ପାଖରେ ପ୍ରାୟ ୧୮୦ ଅଣୁ ଅସ୍ତ୍ର ରହିଛି । ଚୀନ୍‌ ପାଖରେ ୬୦୦ଟି ଥିବା ବେଳେ ଏହା ୨୦୩୦ ସୁଦ୍ଧା ୧,୦୦୦ ଛୁଇଁପାରେ । ପାକିସ୍ତାନର ୧୭୦ଟି ପରମାଣୁ ଅସ୍ତ୍ର ଅଛି । ପାକିସ୍ତାନ ପାଖରେ ତୁଳନାତ୍ମକ ଭାବେ କମ୍‌ ସଂଖ୍ୟକ ଅଣୁ ଅସ୍ତ୍ର ଥିବା ସତ୍ତେ୍ୱ ଏହା ଭାରତକୁ ଧମକ ଦେଇଆସୁଛି । ସଦ୍ୟ ଅପରେସନ ସିନ୍ଦୂର ବେଳେ ମଧ୍ୟ ପାକ୍‌ ପରମାଣୁ ଧମକ ଦେଇଥିଲା । ଏହା ଯଦି ନିଜ ଅସ୍ତ୍ର ସଂଖ୍ୟା ବଢ଼ାଏ, ତେବେ ଭାରତର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ।