ନୂଆଦିଲ୍ଲୀ,୦୭/୧୦: ଆମେରିକା ସରକାର ସେଠାକାର ୯ଟି ବିଶ୍ୱବିଦ୍ୟାଳୟକୁ ଏକ ପତ୍ର ପଠାଇଛନ୍ତି । ଏହା ଅନ୍ତର୍ଗତ ଉକ୍ତ ପ୍ରତିଷ୍ଠାନ ସେମାନଙ୍କ ମୋଟ ନାମଲେଖା ମଧ୍ୟରେ ବିଦେଶୀ ଅଣ୍ଡର୍ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ୧୫% ରେ ସୀମିତ ରଖିବେ । ଗୋଟିଏ ରାଷ୍ଟ୍ରରୁ ୫% ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇପାରିବେ ନାହିଁ । ଏହା କଲେ ହିଁ ଉକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆବଶ୍ୟକ ବେଳେ ଫେଡେରାଲ ପାଣ୍ଠି ଆକ୍ସେସ୍ ମିଳିବ । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଦ୍ୱାରା ଉକ୍ତ ୯ ବିଶ୍ୱବିଦ୍ୟାଳୟରେ ମାତ୍ର ୫% ଭାରତୀୟ ଛାତ୍ରଛାତ୍ରୀଙ୍କୁ ପଢ଼ିବାର ସୁବିଧା ମିଳିବ ।
ଟ୍ରମ୍ପଙ୍କର ଏହି ନିଷ୍ପତ୍ତିର ସର୍ବାଧିକ ପ୍ରଭାବ ଭାରତର ତେଲୁଗୁ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବ, ଯେଉଁମାନେ ଅଧିକ ମାତ୍ରାରେ ଆବେଦନ କରିଥାନ୍ତି । ଏହା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଅତି ମାତ୍ରାରେ ଅଯୌକ୍ତିକ ବୋଲି କୁହନ୍ତି ଆମେରିକାରେ ସ୍ନାତକ କରୁଥିବା ହାଇଦ୍ରାବାଦର ଛାତ୍ର ବିଶ୍ୱନାଥ ରେଡ୍ଡି । ଭାରତରୁ ବୃହତ୍ ଭାଗ ଛାତ୍ରଛାତ୍ରୀ ଆମେରିକାକୁ ପଢ଼ିବା ପାଇଁ ଯାଇଥାନ୍ତି । ସେଠାରେ ମୋଟ ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫% ହେଉଛନ୍ତି ଭାରତ ଏବଂ ଚୀନ୍ର । ଏଭଳି ନିଷ୍ପତ୍ତି ଦ୍ୱାରା ଛାତ୍ରଛାତ୍ରୀ ପ୍ରଭାବିତ ହେବେ ।