ନୂଆଦିଲ୍ଲୀ ୦୫/୧୦: ଆମେରିକାର ଟ୍ରେଜେରି ବିଭାଗ ଶୁକ୍ରବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋଯୁକ୍ତ ଏକ ଡଲାର ମୂଲ୍ୟର ମୁଦ୍ରାର ଡ୍ରାଫ୍ଟ ଡିଜାଇନ୍ ଜାରି କରିଛି । ଆସନ୍ତାବର୍ଷ ଦେଶ ସ୍ୱାଧୀନତାର ୨୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ବିଶେଷ ମୁଦ୍ରା ଜାରି ହେବ । ଡ୍ରାଫ୍ଟ ଡିଜାଇନ୍ରେ ମୁଦ୍ରାର ଗୋଟିଏ ପାଶ୍ୱର୍ରେ ଟ୍ରମ୍ପଙ୍କୁ ହାତମୁଠା କରିଥିବା ଅବସ୍ଥାରେ ପ୍ରଦର୍ଶିତ କରାଯାଇଛି । ଏଥିସହ ‘ଫାଇଟ୍, ଫାଇଟ୍, ଫାଇଟ୍’ ବୋଲି ଲେଖାଯାଇଛି । ଟ୍ରମ୍ପଙ୍କ ମୁଣ୍ଡ ପଛପଟେ ଆମେରିକାର ଜାତୀୟ ପତାକା ଉଡୁଥିବା ଦେଖିବାକୁ ମିଳୁଛି । ଏହି ଶବ୍ଦ ଗତବର୍ଷ ହୋଇଥିବା ଏକ ଆକ୍ରମଣରୁ ବର୍ତ୍ତିବା ପରେ ଟ୍ରମ୍ପ କହିଥିଲେ । ମୁଦ୍ରାର ଅନ୍ୟ ପାଶ୍ୱର୍ରେ ଟ୍ରମ୍ପଙ୍କ ପ୍ରୋଫାଇଲ୍ ଫଟୋ ରହିଛି । ତା’ ଉପରେ ଲିବର୍ଟି ଓ କଡ଼ରେ ୧୭୭୬-୨୦୨୬ ଲେଖାଯାଇଛି ।
ଟ୍ରେଜେରି ବିଭାଗ କହିଛି, ଏହି ଡିଜାଇନ୍ ଦେଶର ମଜଭୁତ ଭାବନାକୁ ଦର୍ଶାଉଛି । ଅବଶ୍ୟ ଏହା ଚୂଡ଼ାନ୍ତ ଡିଜାଇନ୍ ନୁହେଁ । ଶଟଡାଉନ୍ ଶେଷ ହେବା ପରେ ଖୁବ୍ ଶୀଘ୍ର ଏ ସଂପର୍କରେ ସୂଚନା ସେୟାର କରାଯିବ । ସେପଟେ ମୁଦ୍ରାର ଏହି ଡ୍ରାଫ୍ଟ ଡିଜାଇନ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । କାରଣ ଆମେରିକୀୟ ଆଇନ ଅନୁସାରେ, କୌଣସି କାର୍ଯ୍ୟକାରୀ ରାଷ୍ଟ୍ରପତି କିମ୍ବା ଜୀବିତ ପୂର୍ବତନ ରାଷ୍ଟ୍ରପତିଙ୍କ ଫଟୋକୁ ମୁଦ୍ରାରେ ପ୍ରଦର୍ଶିତ କରାଯାଇପାରିବ ନାହିଁ । ମୃତ୍ୟୁର ଅତି କମ୍ରେ ୨ ବର୍ଷ ପରେ ହିଁ କୌଣସି ରାଷ୍ଟ୍ରପତିଙ୍କ ଫଟୋକୁ ମୁଦ୍ରାରେ ଅଙ୍କିତ କରାଯାଇପାରିବ । ଇତିମଧ୍ୟରେ ହ୍ୱାଇଟ୍ ହାଉସ୍ର ମୁଖପାତ୍ର କାରୋଲିନ୍ ଲେବିଟ୍ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଏହି ଡିଜାଇନ୍ ଦେଖିନାହାନ୍ତି । କିନ୍ତୁ ଏହା ତାଙ୍କୁ ପସନ୍ଦ ଆସିବ ବୋଲି ଆମେ ଆଶା କରୁଛୁ ।